ଦେବଗଡ଼ରେ ବିଜୁଳି ମହୋତ୍ସବ

ଦେବଗଡ଼,ଏନ୍‌ଏନ୍‌ଏସ୍‌:ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ପାଳୁଥିବା “ଆଜାଦୀକା ଅମୃତ ମହୋତ୍ସବ’ରେ ଜନସାଧାରଣଙ୍କ ନିକଟରେ ବିଦ୍ୟୁତ ସେବା ପହଞ୍ଚାଇବା ଲକ୍ଷ୍ୟରେ ଏନଟିପିସି, ଟାଟା ପାୱାର ୱେଷ୍ଟାର୍ଣ ଓଡ଼ିଶା ଡିସଟ୍ରିବ୍ୟୁସନ ଲିମିଟେଡ ଓ ଓପିଟିସିଏଲ ପକ୍ଷରୁ ଦେବଗଡ଼ ବିଦ୍ୟୁତ ଖଣ୍ଡ ସହଯୋଗରେ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମରେ ବିଜୁଳି ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲୁକାଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ଦେବଗଡ଼ ପୌରଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ଓପିଟିସିଏଲର ସାଧାରଣ ପରିଚାଳକ ସନ୍ତୋଷ କୁମାର ମହନ୍ତ ଓ ଏନଟିପିସିର ମାନବ ସମ୍ବଳ ବିଭାଗ ସାଧାରଣ ପରିଚାଳକ ପ୍ରତିଭା ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥିବୃନ୍ଦ ବିଦ୍ୟୁତ କ୍ଷେତ୍ରରେ ଘଟିଥିବା ଉନ୍ନତି ଏବଂ ଗ୍ରହଣ କରାଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହ ଆଗାମୀ ୨୦୪୭ ମସିହା ସୁଦ୍ଧା ଦେଶ ତଥା ରାଜ୍ୟ ବିଦ୍ୟୁତ କ୍ଷେତ୍ରରେ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିବ ବୋଲି ପ୍ରକାଶ କରିଥିଲେ । ଆଜି ମଧ୍ୟ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ବିଦ୍ୟୁତ ସେବା ଅପହଞ୍ଚ ଥିବାବେଳେ ଆଗାମୀ ଦିନରେ ପ୍ରତିଟି କୋଣରେ ବିଦ୍ୟୁତ ସେବା ଉପଲବ୍ଧ ହେବ ବୋଲି କହିଥିଲେ । ଏହି ଅବସରରେ ବିଭାଗ ପକ୍ଷରୁ ପ୍ରସ୍ତୁତ ବିଭିନ୍ନ ଯୋଜନାର କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ କରାଯିବା ସହ କଳାକାରଙ୍କ ଦ୍ୱାରା ନୁକ୍କଡ଼ ନାଟକ ମାଧ୍ୟମରେ ବିଦ୍ୟୁତ କ୍ଷେତ୍ରରେ ଦେଶର ସଫଳତା ସମ୍ପର୍କିତ ଜନ ସଚେତନତା ସୃଷ୍ଟି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦେବଗଡ଼ ବିଦ୍ୟୁତ ଖଣ୍ଡର ନିର୍ବାହୀ ଅଧିକାରୀ ଶ୍ରୀନିବାସ ସ୍ୱାଇଁଙ୍କ ସମେତ ଏନଟିପିସି, ଟିପିଡବ୍ଲ୍ୟୁଓଡିଏଲ ଓ ଓପିଟିସିଏଲର ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।