ସୁକୁଲା ଭଟ୍ଟା ଓ ଗୁରୁଗାଁରେ ମାଓ ପୋଷ୍ଟର

ରାୟଗଡ଼ା,ଏନ୍ଏନ୍ଏସ୍: ଅମ୍ବାଦଳା ଥାନା ସୁକୁଲାଭଟ୍ଟା ଓ ଗୁରୁଗାଁରେ ପୁଣି ଦେଖିବାକୁ ମିଳିଛି ମାଓ ପୋଷ୍ଟର। ସିପିଆଇ ମାଓ ସଂଗଠନ ବାଘୁନା ଡିଭିଜନ୍ ପକ୍ଷରୁ ଏହି  ପୋଷ୍ଟର ଲଗାଯାଇଛି। ଏଥିରେ ଜବକାର୍ଡଧାରୀ, ଗରିବ ଲୋକଙ୍କୁ ମନରେଗାରେ କାମ ଯୋଗାଇବା ବଦଳରେ ମେସିନରେ କରାଯିବାକୁ ବିରୋଧ କରିଛି ମାଓ ସଂଗଠନ । ଏହାକୁ ବିରୋଧ କରି ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ଗାଁ ନିକଟରେ ଏହି ପୋଷ୍ଟର ଲଗାଇଛନ୍ତି ।

ଏବେ ମୁନିଗୁଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ବହୁ ଉନ୍ନୟନମୂଳକ ପ୍ରକଳ୍ପର କାମ ଚାଲିଛି। ଅମ୍ବାଦଳା ପଞ୍ଚାୟତରେ ଚାଲିଥିବା କାର୍ଯ୍ୟରେ ଜବକାର୍ଡଧାରୀ ଓ ଗ୍ରାମବାସୀଙ୍କୁ ସାମିଲ ନକରି ବରଂ ମେସିନରେ କାମ କରାଯାଉଛି। ଏଥିରେ ଅମ୍ବାଦଳା ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ, ଜିଆରଏସ୍, ଅଧିକାରୀ, ଠିକାଦାର, ଏନଜିଓ ସଂସ୍ଥା ସାମିଲ ଅଛନ୍ତି। ଜବକାର୍ଡଧାରୀଙ୍କ ବଦଳରେ ମେସିନ ଲଗାଇ ଯେଉଁ କାର୍ଯ୍ୟ କରାଯାଇଛି ସେହି ଠିକାଦାରଙ୍କ ବିଲକୁ ବନ୍ଦ କରିବାକୁ

ମାଓବାଦୀମାନେ ଚେତାବନୀ ଦେଇଛନ୍ତି। ନଚେତ ମେସିନ ଜାଳିବା ସହ କାମରେ ନିୟୋଜିତ ଠିକାଦାରଙ୍କୁ ଉଚିତ ଜବାବ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ କରିଛନ୍ତି । ସୁକୁଲାଭଟ୍ଟା, ଗୁରୁଗାଁ ରାସ୍ତାକଡ଼ର ତିନୋଟି ସ୍ଥାନରେ ଲାଗିଥିବା ପୋଷ୍ଟରକୁ  ଆଜି ସକାଳେ ପୁଲିସ ଜବତ କରିଛି। ଅମ୍ବାଦଳା ଥାନା ଅଧିକାରୀ ବନ୍ଦନା ନାୟକଙ୍କ ସହ ପୁଲିସ ଟିମ ଗାଁରେ ପହଞ୍ଚି ପୋଷ୍ଟର ଜବତ କରିବା ସହ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ପୋଷ୍ଟର ଜବତ ପରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।