ମନୋଜ ସିହ୍ନା ହେଲେ ଜାମ୍ମୁ କାଶ୍ମୀରର ନୂତନ ଉପ-ରାଜ୍ୟପାଳ

ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ଦଳର ନେତା ମନୋଜ ସିହ୍ନା ହେଲେ ଜାମ୍ମୁ କାଶ୍ମୀରର ନୂତନ ଉପ-ରାଜ୍ୟପାଳ। ଏନେଇ ଗୁରୁବାର ସକାଳେ ରାଷ୍ଟ୍ରୀୟ ଭବନ ତରଫରୁ ଘୋଷଣା କରାଯାଇଛି। ସୂଚନା ଅନୁସାରେ ଗତକାଲିକୁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବାର ଏକ ବର୍ଷ ପୂରଣ ହୋଇଛି। ଏହି ସମୟରେ ବୁଧବାର ସନ୍ଧ୍ୟାରେ ଗିରିଶ ଚନ୍ଦ୍ର ମୁର୍ମୁ ରାଷ୍ଟ୍ରପତିଙ୍କୁ ତାଙ୍କ ଇସ୍ତଫା ପ୍ରଦାନ କରିଥିଲେ। ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା ପରେ ମନୋଜ ସିହ୍ନା କେନ୍ଦ୍ର ଶାସିତ ରାଜ୍ୟ ଜମ୍ମୁ-କଶ୍ମୀରର ନୂତନ ଉପରାଜ୍ୟପାଳ ହେବେ।

ମନୋଜ ସିହ୍ନା ମୋଦୀ ସରକାରରେ ରେଳ ରାଜ୍ୟମନ୍ତ୍ରୀ ପଦରେ ଥିଲେ। ସେହି ସମୟରେ ତାଙ୍କର ବିକାଶ କାର୍ଯ୍ୟଗୁଡ଼ିକ ବେଶ୍ ପ୍ରଶଂସିତ ହୋଇଛି। ଉତ୍ତର ପ୍ରଦେଶର ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ଜିତିବା ପରେ ମନୋଜ ସିହ୍ନା ମୁଖ୍ୟମନ୍ତ୍ରୀ ହେବେ ବୋଲି ଅଟକଳ ଲଗାଯାଉଥିଲା। କିନ୍ତୁ ପାର୍ଟି ଯୋଗୀଙ୍କ ନାମକୁ ଅନ୍ତିମ ରୂପ ଦେଇଥିଲା। କେନ୍ଦ୍ର ସରକାର ସିହ୍ନାଙ୍କୁ ପୁଣି ଥରେ ବଡ଼ ପଦରେ ଅଧିଷ୍ଠିତ କରିବାକୁ ଯାଉଛନ୍ତି।

ଏଠି କହିରଖୁଛୁ ଯେ ଜାମ୍ମୁ କାଶ୍ମୀର ୩୧ ଅକ୍ଟୋବରରେ ୨୦୧୯ରେ କେନ୍ଦ୍ର ଶାସିତ ପ୍ରଦେଶ ହୋଇଥିଲା। ଗିରିଶ ଚନ୍ଦ୍ର ମୁର୍ମୁ ଏହାର ପ୍ରଥମ ଉପ-ରାଜ୍ୟପାଳ ହୋଇଥିଲେ।