୯ ତାରିଖରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଗୋଟିଏ ଲଘୁଚାପ ଯାଉ ଯାଉ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଆକଳନ ଅନୁଯାୟୀ ଆସନ୍ତା ୮ ତାରିଖରେ ପଶ୍ଚିମବଙ୍ଗ ଓ ସଂଲଗ୍ନ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି। ଏବଂ ୯ ତାରିଖରେ ଏହା ଲଘୁଚାପରେ ପରିଣତ ହେବ। ଫଳରେ ଉପକୂଳ ଅଞ୍ଚଳରେ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ପୁଣି ବର୍ଷା ହେବ। ଫଳରେ ସାରା ରାଜ୍ୟରେ ଯେଉଁ ନିଅଣ୍ଟିଆ ବର୍ଷା ରହିଥିଲା ତାହା ଭରଣା ହୋଇଯିବ ବୋଲି ଆଶା କରାଯାଉଛି। ଏନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ସୂଚନା ଦେଇଛନ୍ତି।

ତେବେ ୩ ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ମଙ୍ଗଳବାର ଓ ବୁଧବାର ପ୍ରବଳ ବର୍ଷା ହୋଇଥିବା ବେଳେ ଦକ୍ଷିଣ ଓଡ଼ିଶାରେ ମଧ୍ୟ ବର୍ଷାର ପ୍ରଭାବ ରହିଥିଲା। ଫଳରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୧.୪ ମିମି ବର୍ଷା ରେକର୍ଡ ହୋଇଛି। ଫଳରେ ରାଜ୍ୟରେ ଯେଉଁ ସ୍ୱାଭାବିକ ବର୍ଷାର ପରିମାଣ କମିଥିଲା ତାହା କିଛି ମାତ୍ରାରେ ପୂରଣ ହୋଇଛି। ଜୁନ ପହିଲାରୁ ୫ ଅଗଷ୍ଟ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ୫୫୩.୯ ମିମି ବର୍ଷା ହୋଇଛି।

ସେହିପରି ୬ ଓ ୭ ତାରିଖରେ ବିଶେଷ ବର୍ଷା ନଥିବାବେଳେ ଉପକୂଳରେ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ସ୍ୱଳ୍ପ ବର୍ଷା ହେବ। ତେବେ ମୌସୁମୀ ସକ୍ରିୟ ହେତୁ ସ୍ଥାନେ ସ୍ଥାନେ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ଆଭ୍ୟନ୍ତରୀଣ ଓଡ଼ିଶା ବିଶେଷ କରି ଦକ୍ଷିଣ ଓଡ଼ିଶାରେ ୮ରୁ ୧୦ ଭିତରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ୧୧ ଓ ୧୨ ତାରିଖରେ ଉପକୂଳରେ, ଆଭ୍ୟନ୍ତରୀଣ ଦକ୍ଷିଣରେ ୧୧ରୁ ୧୩ ତାରିଖ ଓ ଉତ୍ତର ଆଭ୍ୟନ୍ତରୀଣରେ ୧୨ରୁ ୧୪ ତାରିଖରେ ମଧ୍ୟମରୁ ଭାରୀ ବର୍ଷା ହେବ। ସେହିପରି ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ବର୍ଷାରେ ଅନେକ ସ୍ଥାନରେ ଚାଷ କାର୍ଯ୍ୟ ଆଗେଇବ। ଯେଉଁଠାରେ ବି ସମସ୍ୟା ଥିବ ୧୨ ତାରିଖ ସୁଦ୍ଧା ପାଣି ଅଭାବ ରହିବ ନାହିଁ ବୋଲି ଶ୍ରୀ ପଶୁପାଳକ କହିଛନ୍ତି। ସେହିପରି ଉପକୂଳ ଓଡ଼ିଶାରେ ୧୨ ତାରିଖ ପରେ ସପ୍ତାହେ ପର୍ଯ୍ୟନ୍ତ ବର୍ଷା କମିଯିବାର ଆଶଙ୍କା ଥିବାରୁ ଯଥାଶୀଘ୍ର ରୁଆ ବେଉସଣ ସାରିଦେବା ଉଚିତ ବୋଲି ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ଲଘୁଚାପ ପ୍ରଭାବରେ ଉତ୍ତର ବଙ୍ଗୋପସାଗର ସମେତ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ବୃଦ୍ଧି ପାଇ ୪୦ରୁ ୫୦ କିମି ପର୍ଯ୍ୟନ୍ତ ପହଞ୍ଚିଛି। ତେଣୁ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଗଭୀର ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଥିବାରୁ ଏହାର ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବା ପାଇଁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।