PPE କିଟ୍ ଦୁର୍ନୀତି ଅଭିଯୋଗ ଆଣିଲେ ସିସୋଦିଆ, ମାନହାନୀ ମକଦ୍ଦମା ଭୟ ଦେଖାଇଲେ ବିଶ୍ୱଶର୍ମା

ନୂଆଦିଲ୍ଲୀ,ଏଜେନ୍ସି: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ନାମରେ କୋଭିଡ କିଟ କିଣିବାରେ ଦୁର୍ନୀତି ଅଭିଯୋଗ ଆଣିଲେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । କୋଭିଡ ମହାମାରୀ ସମୟରେ PPE କିଟ କିଣିବାରେ ମହାଦୁର୍ନୀତିରେ ସାମିଲ ଥିଲେ ବିଶ୍ବଶର୍ମା । କ୍ଷମତାର ଅପବ୍ୟବହାର କରି ସେ ତାଙ୍କ ପତ୍ନୀଙ୍କ ଦ୍ବାରା ପରିଚାଳିତ କମ୍ପାନୀ ଓ ପୁଅର ବିଜିନେସ ପାର୍ଟନରଙ୍କୁ କ୍ରୟର ଅର୍ଡର ପ୍ରଦାନ କରିଥିବା ସିସୋଦିଆ କହିଛନ୍ତି । କୋଭିଡ ସଂକ୍ରମଣ ଶିର୍ଷରେ ଥିବା ବେଳେ ସର୍ବାନନ୍ଦ ସୋନଓ୍ବାଲଙ୍କ ସରକାରରେ ବିଶ୍ବଶର୍ମା ସ୍ବାସ୍ଥ୍ୟମନ୍ତ୍ରୀ ଥିଲେ । ଏହି ସମୟରେ ସେ ଏହି ଦୁର୍ନୀତି କରିଥିବା ସିସୋଦିଆ ସଙ୍ଗୀନ ଅଭିଯୋଗ କରିଛନ୍ତି ।

ସିସୋଦିଆ କହିଛନ୍ତି, ତତ୍କାଳୀନ ସମୟରେ ସରକାର ଅନ୍ୟ କମ୍ପାନୀଙ୍କ ଠାରୁ ୬୦୦ ଟଙ୍କା ମୂଲ୍ୟରେ ପିପିଇ କିଟ କିଣୁଥିବା ବେଳେ ବିଶ୍ବଶର୍ମାଙ୍କ ପତ୍ନୀଙ୍କ କମ୍ପନୀରୁ ପ୍ରତି ପିପିଇ କିଟ ୯୯୦ ଟଙ୍କା ମୂଲ୍ୟରେ କିଣିବା ପାଇଁ ସରକାର ଅର୍ଡର ପ୍ରଦାନ କରିଥିଲେ । ସେହିପରି ବିଶ୍ବଶର୍ମା ନିଜ ପୁଅର ପାର୍ଟନର କମ୍ପାନୀକୁ ମଧ୍ୟ ଚଢା ଦରରେ କୋଭିଡ ପିପିଇ କିଟ କିଣିବା ପାଇଁ ଅର୍ଡର ପ୍ରଦାନ କରିଥିଲେ । ସରକାରୀ ଅର୍ଡର ପାଇବା ସତ୍ତ୍ବେ ତାଙ୍କ ପତ୍ନୀ ଓ ପୁତ୍ରଙ୍କ କମ୍ପାନୀ ସପ୍ଲାଇ ପୂରା କରିନଥିଲେ । ପୁନର୍ବାର ଅନ୍ୟ ଏକ କମ୍ପାନୀ ଠାରୁ ପୁଣି ନୂଆ ଅର୍ଡରରେ ସାମଗ୍ରୀ କିଣାଯାଇଥିବା ଅଭିଯୋଗ କରିଛନ୍ତି ସିସୋଦିଆ ।ତେବେ ସିସୋଦିଆଙ୍କ ଏପରି ବୟାନ ଆସିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ହିମନ୍ତ ବିଶ୍ବଶର୍ମା ମଧ୍ୟ ସିସୋଦିଆଙ୍କ ଏପରି ସଙ୍ଗୀନ ଅଭିଯୋଗରେ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛନ୍ତି । ଅଭିଯୋଗକୁ ମିଥ୍ୟା ବୋଲି ଦର୍ଶାଇବା ସହ ସେ ସିସୋଦିଆଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ମଧ୍ୟ ଚେତାବନୀ ଦେଇଛନ୍ତି ।

ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରି ବିଶ୍ବଶର୍ମା କହିଛନ୍ତି, ଦେଶ ଗତ ଶତାବ୍ଦୀ ମଧ୍ୟରେ ସବୁଠୁ ଶକ୍ତିଶାଳୀ ମହାମାରୀକୁ ସାମ୍ନା କରିଛି । ମହାମାରୀ ମୁକାବିଲାରେ ଆସାମ ସରକାର ପାରଦର୍ଶିତାର ସହ ସମସ୍ତ ପଦକ୍ଷେପ ଗ୍ରହଣ କରିଥିଲେ । ସଂକ୍ରମଣ ଶୀର୍ଷ ସମୟରେ ଥିବାବେଳେ ତାଙ୍କ ପତ୍ନୀ ବିନା ମୂଲ୍ୟରେ ୧୫୦୦ PPE କିଟ ସ୍ବାସ୍ଥ୍ୟ ବିଭାଗକୁ ପ୍ରଦାନ କରିଥିଲେ ବୋଲି ମଧ୍ୟ ବିଶ୍ବଶର୍ମା କହିଛନ୍ତି ।