ଆଗ୍ରା: ଶାହୀ ଜାମା ମସ୍‌ଜିଦର ପରିଚାଳନା କମିଟି ସଭାପତିଙ୍କ ବିରୋଧରେ ମାମଲା ରୁଜୁ

ଆଗ୍ରା,ଏଜେନ୍ସି: ମଥୁରାର କେଶବ ଦେବ ମନ୍ଦିରର ମୂର୍ତ୍ତିଗୁଡ଼ିକୁ ଆଗ୍ରାର ଶାହି ଜାମା ମସ୍‌ଜିଦ ପରିସରର ମାଟି ତଳେ ଥିବା ଦାବି କରିଥିବା ଓକିଲଙ୍କୁ ଧମକ ମିଳିଛି। ଏହି ମାମଲାରେ ଆଗ୍ରା ପୋଲିସ ଶାହୀ ଜାମା ମସ୍‌ଜିଦର ପରିଚାଳନା କମିଟିର ସଭାପତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁସାରେ ସେ ଜଣେ ଓକିଲଙ୍କୁ ଧମକ ଦେଇଥିଲେ।

ମଥୁରାର ଓକିଲ ମହେନ୍ଦ୍ର ପ୍ରତାପ ସିଂହ ନିକଟରେ ଭାରତୀୟ ପ୍ରତ୍ନତାତ୍ୱିକ ସର୍ଭେକ୍ଷଣ(ଏଏସ୍‌ଆଇ) ଓ କେନ୍ଦ୍ରକୁ ପତ୍ର ଲେଖି ଦାବି କରିଥିଲେ ଯେ, ମଥୁରାରେ କେଶବ ଦେବ ମନ୍ଦିରର ମୂର୍ତ୍ତିଗୁଡ଼ିକୁ ମୋଗଲ ସମ୍ରାଟ ଔରଙ୍ଗଜେବ ଆଗ୍ରାର ଶାହୀ ଜାମା ମସଜିଦ ପରିସରରେ ସାହିବା ବେଗମ ମସଜିଦର ପାହାଚ ତଳେ ରଖିଥିଲେ।

ଆଗ୍ରାର ବରିଷ୍ଠ ପୋଲିସ ଅଧୀକ୍ଷକ ସୁଧୀର କୁମାର ସିଂହ କହିଛନ୍ତି ଯେ, ମଣ୍ଟୋଲା ଥାନାରେ ଶାହୀ ଜାମା ମସଜିଦର ଇତେଜାମିୟା କମିଟିର ସଭାପତି ଜାହିଦ ଓରଫ ପପ୍ପୁଙ୍କ ବିରୋଧରେ ଉତ୍ତେଜିତ ବୟାନ ଦେବା ଓ ସାମାଜିକ ଗଣମାଧ୍ୟମରେ ଭାଇରାଲକୁ ନେଇ ମାମଲା ରୁଜୁ ହୋଇଛି।