ଦିଲ୍ଲୀକୁ କୋଭାକ୍ସିନ ଯୋଗାଣ ବନ୍ଦ କରିବାରୁ ଆମେ ୧୦୦ ଟିକା କେନ୍ଦ୍ର ବନ୍ଦ କରୁଛୁ-ମନିଷ ସିସୋଦିଆ

ନୂଆଦିଲ୍ଲୀ,ଏଜେନ୍ସି: ଦେଶର ରାଜଧାନୀ ଦିଲ୍ଲୀରେ ଗତ କିଛିଦିନ ତଳେ ଅକ୍ସିଜେନକୁ ନେଇ ସଂକଟ ଦେଖା ଦେଇଥିବାବେଳେ ବର୍ତ୍ତମାନ ଟିକାକୁ ନେଇ ମଧ୍ୟ ଦ୍ୱନ୍ଦ ଆରମ୍ଭ ହୋଇଯାଇଛି। ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ଦିଲ୍ଲୀକୁ ଭାରତ ବାୟୋଟେକ ପକ୍ଷରୁ କୋଭାକ୍ସିନ ଟିକା ଯୋଗାଣ ବନ୍ଦ କରିଦିଆଯାଇଛି। ଯାହାଦ୍ୱାରା ଆମକୁ ଦିଲ୍ଲୀରେ କୋଭାକ୍ସିନ ଟିକା କେନ୍ଦ୍ର ବନ୍ଦ କରିବାକୁ ପଡ଼ୁଛି। ଏଥିସହିତ ସିସୋଦିଆ କହିଛନ୍ତି କି ଆମ ପାଖରେ ଯାହା ଟିକା ମହଜୁଦ ଥିଲା ତାହା ଶେଷ ହୋଇଯାଇଛି। ଏନେଇ ଦିଲ୍ଲୀର ୧୦୦ରୁ ଅଧିକ ଟିକା କେନ୍ଦ୍ରକୁ ବନ୍ଦ କରାଯାଇଛି। ବର୍ତ୍ତମାନ କୋଭିସିଲ୍ଡ ଟିକା କେନ୍ଦ୍ର ଖୋଲା ରହିଛି।

ଏହି ସମ୍ମିଳନୀରେ ସେ ଆହୁରି କହିଛନ୍ତି କି ଆମେ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଓ ଭାରତ ବାୟୋଟେକକୁ ୧.୩୪ କୋଟି ଟିକା ମାଗିଥିଲୁ, ସେଥିରେ ୬୭ ଲକ୍ଷ କୋଭାକ୍ସିନ ଓ ୬୭ ଲକ୍ଷ କୋଭିସିଲ୍ଡ ସାମିଲ ଥିଲା। ଜବାବରେ ଭାରତ ବାୟୋଟେକ ସଫା ସଫା ଟିକା ଦେବାକୁ ମନା କରିବା ସହିତ ଆମେ କେନ୍ଦ୍ର ନିର୍ଦ୍ଦେଶରେ ଟିକା ଦେଉଛୁ ବୋଲି କହିଥିଲା।