ଜନ୍ତାରେ ପଡିଲା ଆମ୍ବ ପ୍ରେମୀ ଭାଲୁ

ନୂଆପଡ଼ା,ଏନ୍ଏନ୍ଏସ୍: ଯନ୍ତାରେ ପଡିଲା ଆମ୍ବଖିଆ ଭାଲୁ। ଲଗାତାର ୪ ଦିନ ଧରି ନୂଆପଡ଼ା ଜିଲ୍ଲାପାଳଙ୍କ ବାସଭବନକୁ ଆସି ଆମ୍ବଖାଇ ଜଙ୍ଗଲ ଭିତରକୁ ଚାଲି ଯାଉଥିବା ଭାଲୁ ଶେଷରେ ଧରା ପଡିଛି। ୨ ଦିନ ହେଲା ଭାଲୁକୁ ଧରିବା ପାଇଁ ବନ ବିଭାଗ ଯନ୍ତା ଲଗାଇ ଛପି ବସିଥିଲା। ଗତକାଲି ରାତିରେ ଯନ୍ତାରେ ପଡିଛି ଆମ୍ବ ପ୍ରେମୀ ଭାଲୁ। ଭାଲୁକୁ କାବୁ କରିବା ବେଳେ ଘଟଣାସ୍ଥଳରେ ବନବିଭାଗ ସହ ପ୍ରାଣୀ ଚିକିତ୍ସକ ଉପସ୍ଥିତ ଥିଲେ। ସୁନାବେଡା ଅଭୟାରଣ୍ୟ ଭିତରେ ଭାଲୁକୁ ଛାଡିବାକୁ ଯୋଜନା ଚାଲିଛି। ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଅନୁମତି ମିଳିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନୂଆପଡା ବନ୍ୟପ୍ରାଣୀ ରେଞ୍ଜର ଶ୍ରୀ ଚମ୍ପତ୍ତିରାୟ ସୂଚନା ଦେଇଛନ୍ତି।

ଗତକାଲି ରାତିରେ ଭାଲୁକୁ ଧରିବା ପାଇଁ ଜିଲ୍ଲାପାଳଙ୍କ ବାସଭବନରେ ସମସ୍ତ ବ୍ୟବସ୍ଥା ହୋଇଥିନା ବେଳେ ଭାଲୁଟି କିଛି ସମୟ ପାଇଁ ଥାନା କ୍ୟାମ୍ପସ୍‌ରେ ଆତଙ୍କ ଖେଳାଇଥିଲା। ଥାନା ପରିସରରେ ଥିବା ଜଣକ ଘରେ ପଶି ଯାଇଥିଲା। ପରେ ତେଲିପଡା ଭାଟିଛକ ଠାରୁ ଷ୍ଟାଡିୟମ ଦେଇ ପୁଣି ଥରେ ଭାଲୁଟି ଜିଲ୍ଲାପାଳଙ୍କ ବାସଭବନରେ ପଶିଥିଲା। ଖଡ଼ିଆଳ ଡିଏଫଓ ବିବେକ କୁମାର ଓ ବନ୍ୟପ୍ରାଣୀ ବିଭାଗ ଡିଏଫଓ ବିନୟ ଭୂଷଣ କୁମାର ବିଶ୍ଵାସୀଙ୍କ ତତ୍ତ୍ୱାବଧାନରେ ବନ୍ୟପ୍ରାଣୀ ବିଭାଗ ରେଞ୍ଜର ଦିଲୀପ ଚମ୍ପତ୍ତିରାୟ ଓ ସଦର ରେଞ୍ଜର ବିନୀତା ଭୋଇଙ୍କ ନେତୃତ୍ୱରେ ଭାଲୁକୁ ଧରିବା ପାଇଁ ଏକ ୨୦ ଜଣିଆ ବନବିଭାଗ ଟିମ ଗଠନ ହୋଇଥିଲା। ଯନ୍ତାରେ ଆମ୍ବ ଓ ସପୁରୀ ଖାଇବାକୁ ଦେଇ ବନ କର୍ମଚାରୀ ରାତିରେ ଛକି ବସିଥିଲେ। ରାତି ପ୍ରାୟ ୩ଟା ୧୫ ମିନିଟରେ ଭାଲୁଟି ଯନ୍ତା ଭିତରେ ପଶିବା ପରେ ଛପି ରହିଥିବା ବନ ବିଭାଗ କର୍ମଚାରୀମାନେ ତାକୁ କାବୁ କରିଥିଲେ। ପ୍ରାଣୀ ଚିକିତ୍ସକ ସେଠାରେ ଉପସ୍ଥିତ ରହିଥିବା ବେଳେ ତାର ସ୍ଵାସ୍ଥ୍ୟାବସ୍ଥା ଠିକ୍ ରହିଥିବା ଜଣାପଡିଛି।