କେନ୍ଦୁଝର,ଏନ୍ଏନ୍ଏସ୍: ଆଇସିଡିଏସ ପ୍ରକଳ୍ପରେ ଶିଶୁମାନଙ୍କ ସକାଳ ଜଳଖିଆରେ ମାଣ୍ଡିଆ ଲଡୁକୁ ସାମିଲ କରାଯାଇଛି। ଓଡ଼ିଶାରେ ପ୍ରଥମ କରି କେନ୍ଦୁଝର ଜିଲ୍ଲାରେ ଏହି ଯୋଜନା ଲାଗୁ କରାଯାଇଛି। ଏଥିପାଇଁ କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମ ଗୁରୁବାର ଦରବାର ହଲଠାରେ ଉଦଘାଟିତ ହୋଇଛି। ଏହା ଓଡିଶା ମିଲେଟ ମିଶନ ଜରିଆରେ କାର୍ଯ୍ୟକାରୀ ହେବ।
ପ୍ରଥମେ କେନ୍ଦୁଝର ସଦର ଆଇସିଡିଏସ ଅଧିନର ୩୩୫ଟି ଅଙ୍ଗନବାଡି କେନ୍ଦ୍ରରେ ପାଇଲଟ ଫେଜ ଭାବେ ୨ମାସ ପାଇଁ କାର୍ଯ୍ୟକାରୀ ହେବ। ପରବର୍ତ୍ତୀ ସମୟରେ ସେପ୍ଟେମ୍ବର ମାସରୁ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ରର ୧ ଲକ୍ଷ ଶିଶୁଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ଏହି ଯୋଜନାରେ ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା ୩-୬ ବର୍ଷର ଶିଶୁଙ୍କୁ ସପ୍ତାହରେ ୨ଟି ଲେଖାଏଁ ମାଣ୍ଡିଆ ଲଡୁ ଦିଆଯିବ। ଏହି ଯୋଜନାରେ ଜିଲ୍ଲା ଖଣିଜ ପାଣ୍ଠିରୁ ବାର୍ଷିକ ୧.୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।
ବର୍ତ୍ତମାନ କେନ୍ଦୁଝର ଜିଲ୍ଲାର ୭ଟି ବ୍ଲକରେ ମାଣ୍ଡିଆ ଚାଷକୁ ଅଗ୍ରାଧିକାର ଦେଇ ଜିଲ୍ଲାର ୧୬୦୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯିବାକୁ ଯୋଜନା ରହିଛି। ଏଥିରେ ବର୍ଷକୁ ପ୍ରାୟ ଏକ ହଜାର କୁଇଣ୍ଟାଲ ମାଣ୍ଡିଆ ଆବଶ୍ୟକ ହେବ ବୋଲି ସୂଚନା ଦିଆଯାଇଛି। ବର୍ତ୍ତମାନ କରୋନା ଯୋଗୁଁ ପିଲାମାନଙ୍କର ପୃଷ୍ଟିହୀନତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ଡିଏମଫ ମୁଖ୍ୟ ନିର୍ବାହୀ ଅଧିକାରୀ ଡ଼ ଉଦ୍ଧବ ଚରଣ ମାଝୀ, ରାଜ୍ୟ ମିଲେଟ ମିଶନ ଅଧିକାରୀଙ୍କ ସହ ଜିଲ୍ଲାର ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ସାମିଲ ଥିଲେ।