ଶିଳରେ ଛେଚି ବୃଦ୍ଧାଙ୍କୁ ହତ୍ୟା

ନୟାଗଡ଼,ଏନ୍ଏନ୍ଏସ୍: ନୟାଗଡ଼ ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ନୟାଗଡ଼ ଟାଉନ୍‌ଥାନା ଅନ୍ତର୍ଗତ ଡିଆଁପଡ଼ା ଗ୍ରାମ ନିକଟରେ ଥିବା ଜଙ୍ଗଲ ପାଖରେ ଜଣେ ବୃଦ୍ଧାଙ୍କୁ ଶିଳରେ ଛେଚି ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ହେଲେ ଉକ୍ତ ଗ୍ରାମର ପ୍ରହଲ୍ଲାଦ ଜେନା(୬୫)। ସୂଚନା ଅନୁସାରେ, ପ୍ରହଲ୍ଲାଦ ଗାଁ ଜଙ୍ଗଲ ପାଖରେ ଥିବା ତାଙ୍କ ଜମି ନିକଟରେ ଏକ କୁଡ଼ିଆ କରି ସେଠାରେ ରହିବା ସହିତ ଚାଷ କରୁଥିଲେ। କିଛି ବର୍ଷ ତଳେ ତାଙ୍କର ପତ୍ନୀଙ୍କ ମୃତ୍ୟୁ ପରେ ବଡ଼ପୁଅ ବାସୁଦେବ ବିବାହ କରି ନିଜ ଶ୍ୱଶୂର ଘର ବାଲିଗୁଡ଼ାରେ ରହୁଥିଲେ। ସେହିପରି ପ୍ରହଲ୍ଲାଦଙ୍କ ସାନପୁଅ ଜଗନ ଜେନା ଘରେ ରହୁଥିଲେ।

ଗତକାଲି ସନ୍ଧ୍ୟାରେ ସାନପୁଅ ଜମିରୁ ଫେରିଥିବା ବେଳେ ଆଜି ସକାଳେ କୁଡ଼ିଆରେ ବାପାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତ ଦେହ ଦେଖିଥିଲେ। ପରେ ଜଗନ ବାସୁଦେବଙ୍କୁ ଫୋନ ଯୋଗେ ଜଣାଇବା ପରେ ବାସୁଦେବ ଗାଁ ଲୋକଙ୍କୁ ଧରି ବିଲ ମୁଣ୍ଡରେ ପହଞ୍ଚିଥିଲେ। ପ୍ରହଲ୍ଲାଦଙ୍କୁ ଶିଳରେ ଛେଚି ହତ୍ୟା କରାଯାଇଥିବା ଜଣାପଡ଼ିଛି। ଖବରପାଇ ଟାଉନଥାନା ଏସଆଇ ଧର୍ମେନ୍ଦ୍ର ଶିଆଳ, ସ୍ମୃତି ରଞ୍ଜନ ମହାନ୍ତି, ଏଏସଆଇ ଅଶୋକ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି। ପ୍ରହଲ୍ଲାଦଙ୍କୁ ପୂର୍ବ ଶତ୍ରୁତାରୁ କେହି ହତ୍ୟା କରିଥିବା ନେଇ ଦୁଇ ପୁଅ ଅଭିଯୋଗ କରିଛନ୍ତି।