ଝରିଗାଁରେ ମଣ୍ଡି ଉଦଘାଟନ କଲେ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ

ଝରିଗାଁ,ଏନ୍ଏନ୍ଏସ୍ ଖରିଫ୍ ଧାନ କ୍ରୟ ନିମନ୍ତେ ନବରଙ୍ଗପୁର ଆରଏମସି ଓ ଲ୍ୟାମ୍ପସର ମିଳିତ ଉଦ୍ୟମରେ ଆଜି ଝରିଗାଁ ଆରଏମସି ଗୋଦମ ପଡ଼ିଆ ଠ।ରେ ମଣ୍ଡିର ଶୁଭାରମ୍ଭ କରାଯାଇଛି। ଏ ନେଇ ଆଜି ଝରିଗାଁ ଲ୍ୟାମ୍ପସ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ନରସିଂହ ଗୌଡ଼ସିଂଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଯୋଗଦେଇଛନ୍ତି। ମଣ୍ଡି ମାଧ୍ୟମରେ ଚାଷୀ ମାନେ କିଭଳି ସଠିକ୍ ଲାଭ ପାଇ ପାରିବେ ସେ ନେଇ ଗୁରୁତ୍ବାରୋପ କରିଛନ୍ତି। ସେହିପରି ସମ୍ମାନୀୟ ଅତିଥି ଭାବେ ବିଡ଼ିଓ ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ, ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀ, ସାଂସଦ ପ୍ରତିନିଧି ପ୍ରିୟ ରଞ୍ଜନ ଦାସ, ଜିଲ୍ଲା ପରିଷଦ ସଭ୍ୟ ପଦ୍ମନାଭ ପାଣ୍ଡେ, ମୋହନ ନାୟକ, ସରପଞ୍ଚ ଅଗନ୍ତି ପୂଜାରୀ, ଆରଏମସି ପ୍ରତିନିଧି ପ୍ରଶାନ୍ତ ରାୟଙ୍କ ସହିତ ସ୍ଥାନୀୟ କୃଷକ ନେତା ପ୍ରେମାନନ୍ଦ ପାଣ୍ଡେ, ପ୍ରଫୁଲ ପ୍ରଧାନି, ଭକ୍ତ ଚାନ୍ଦ ନାଏକ, ମହେନ୍ଦ୍ର ନାଏକ, ଟିକ୍ ଚାନ୍ଦ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ଝରିଗାଁର ୨,୧୮୫ ଜଣ ଚାଷୀଙ୍କ ନାମ ପଞ୍ଜିକରଣ ହୋଇଛି। ପ୍ରଥମ ଦିନରେ ଆଜି ୧୫ ଜଣଙ୍କ ଟୋକନ ଆସିଥିବା ବେଳେ ମୋଟ ୭ ଜଣ ଚାଷୀଙ୍କ ଠାରୁ ୪୪୭ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିଲା। ଏହି ମଣ୍ଡିରେ ସୋମବାର ଦିନ ଧାନ କ୍ରୟ କରାଯିବ। କ’ ଶ୍ରେଣୀର ଧାନକୁ ୧,୮୮୮ ଟଙ୍କା ଓ ସାଧାରଣ ଧାନକୁ ୧,୮୬୮ ଟଙ୍କାରେ କ୍ରୟ କରାଯିବ ବୋଲି ସୂଚନା ଦିଆଯାଇଛି।

ଅସହାୟ ଗରିବ ଚାଷୀକୁ କୁଇଣ୍ଟାଲ ପ୍ରତି ୫ କେଜି ଲେଖାଏଁ କଟନୀ କରାଯାଉଛି, ଆଉ ଯଦି କେହି ଏହାର ପ୍ରତିବାଦ କରୁଛି ତାହେଲେ ଚାଷୀର ଧାନ କିଣା ନଯାଇ ପକାଇ ରଖାଯାଉଛି। ଜିଲ୍ଲାର ଅନ୍ୟ ମଣ୍ଡିରେ ଜରି ଧାନ ବସ୍ତାର ପ୍ରଚଳନ ଥିବାବେଳେ ମିଲରମାନେ ନିଜ ସୁବିଧା ପାଇଁ ଜରି ବସ୍ତାକୁ ମନା କରୁଛନ୍ତି। ବସ୍ତା କିମ୍ଵା ବସ୍ତା ବାବଦରେ ଟଙ୍କା ଦିଆଯାଉନାହିଁ। ଗତ ବର୍ଷ ମଣ୍ଡିରେ ଦେଖାଦେଇଥିବା ବିଭ୍ରାଟର ଯେମିତି ପୁନରାବୃତ୍ତି ନହେବ ସେନେଇ ବିଭାଗ ଦୃଷ୍ଟି ଦେବାକୁ ଚାଷୀ ଦାବି କରିଛନ୍ତି। ଚାଷୀଙ୍କୁ ଶୋଷଣ ଚଳିତ ମଣ୍ଡିରେ ବନ୍ଦ କରାନଗଲେ ଚାଷୀ ଆନ୍ଦୋଳନ ଏକମାତ୍ର ରାସ୍ତା ବୋଲି ଚାଷୀମାନେ ଚେତାବନୀ ଦେଇଥିବା ବେଳେ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଏନେଇ ବିଡ଼ିଓଙ୍କୁ ଏହାର ତର୍ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ।