ମଣ୍ଡେଇ ସ୍ମରଣିକା ଓ କବିତା ପାଠୋତ୍ସବ କମିଟି ବୈଠକ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲାର ସାଂସ୍କୃତିକ ଗଣପର୍ବ “ମଣ୍ଡେଇ’ ପାଳନ ଅବସରରେ ଏକ ସ୍ମରଣିକା ପ୍ରକାଶିତ ହେବ । ଜିଲ୍ଲାର ଐତିହ୍ୟ, କଳା,ସଂସ୍କୃତି ଓ ବିଶେଷ କରି ମଣ୍ଡେଇ ମହୋତ୍ସବ ପାଳନ ସମ୍ବନ୍ଧରେ ଏକ ଆଲୋଚନା ଚକ୍ର ଏବଂ ଜିଲ୍ଲାର କବି ଓ କବୟିତ୍ରୀଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହେବ । କମିଟିର ଅଧ୍ୟକ୍ଷ ବିଜୟ ଚୌଧୁରୀଙ୍କ ଅଧ୍ୟକ୍ଷତା ଓ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନଙ୍କ ଉପସ୍ଥିତିରେ ଏକ ବୈଠକ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଥିଲା । “ମଣ୍ଡେଇ’ ସ୍ମରଣିକା ପାଇଁ ଲେଖକମାନେ ନିଜସ୍ୱ ଲିଖିତ ଜିଲ୍ଲାର କଳା, ସଂସ୍କୃତି, ସାହିତ୍ୟ,ଐତିହ୍ୟ, ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଦିବଙ୍ଗତ ପ୍ରତିଭାଙ୍କ ସମ୍ବନ୍ଧରେ ଲେଖାଗୁଡ଼ିକ ୪ ପୃଷ୍ଠା ମଧ୍ୟରେ ନଭେମ୍ବର ୧୫ ତାରିଖ ସୁଦ୍ଧା ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଲେଖା ଗୁଡ଼ିକ ସଂସ୍କୃତି ଅଧିକାରୀଙ୍କ ଇ-ମେଲ୍ dco11@gmail.com ଜରିଆରେ ଦେଇପାରିବେ କିମ୍ବା ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଦେଇପାରିବେ । ଆଗାମୀ ଡିସେମ୍ବର ୩ ତାରିଖ ରବିବାର ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ କବିତା ପାଠୋତ୍ସବ ଅନୁଷ୍ଠିତ ହେବ । କବି ଓ କବୟିତ୍ରୀମାନେ ସେମାନଙ୍କ ନିଜସ୍ୱ ଲିଖିତ ଓ ଜିଲ୍ଲାର କଳା, ସଂସ୍କୃତି ଓ ବିକାଶ ଉପରେ ଆଧାରିତ କବିତା ଆସନ୍ତା ନଭେମ୍ବର ୨୫ ସୁଦ୍ଧା ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ନିକଟରେ ଦାଖଲ କରିବେ । ନିର୍ଦ୍ଧାରିତ ସମୟ ପରେ କୌଣସି ଲେଖା ଗ୍ରହଣ କରାଯିବ ନାହିଁ । “ମଣ୍ଡେଇ’ ମହୋତ୍ସବ ପାଳନର ତାତ୍ପର୍ଯ୍ୟ ସମ୍ବନ୍ଧରେ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହେବ । ଆଲୋଚନା ଚକ୍ରର ତାରିଖ ଓ ସ୍ଥାନ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ । ଏହି ବୈଠକରେ କମିଟିର ସଦସ୍ୟ କବି ନାରାୟଣ ପଣ୍ଡା, ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ଡା. ବିଜୟ କୁମାର ମିଶ୍ର, ଜେମାମଣି ବିଷୋୟୀ, ପୂର୍ବତନ ସହକାରୀ ଜିଲ୍ଲାପାଳ ହେମଲତା ମାଝୀ, ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର, ଦୁର୍ଗା ପ୍ରସାଦ ପାଢ଼ୀ, ଅଧ୍ୟାପିକା ସଂଗୀତା ତ୍ରିପାଠୀ, ଧରିତ୍ରୀ ପୂଜାରୀ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ପ୍ରାଧ୍ୟାପକ ରାଜୀବ ଜାଲ ଓ କିଶୋର ପଟ୍ଟନାୟକ ଉପସ୍ଥିତ ରହି ନିଜ ନିଜ ମତାମତ ଦେଇଥିଲେ । ରାମ ପ୍ରସାଦ ପାତ୍ର ଧନ୍ୟବାଦ ଦେଇଥିଲେ ।