ସାମ୍ବାଦିକାଙ୍କୁ ମାଡ଼ ମାରିଲେ ଟୁଟୁ ନାୟକ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପ୍ରଯୋଜକ ଟୁଟୁ ନାୟକ ଜଣେ ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ସାମ୍ବାଦିକା ଜଣକ ହେଲେ ‘ଇଟିଭି ଭାରତ’ର ଦେବସ୍ମିତା ରାଉତ । ଦେବସ୍ମିତା ଅଭିଯୋଗ ପରେ ଖାରବେଳ ନଗର ଥାନାରେ ମାମଲା ରୁଜୁ କରିଛନ୍ତି । ସିସିଟିଭି ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ଗଣମାଧ୍ୟମ ସମ୍ମୁଖରେ ସାମ୍ବାଦିକା ଦେବସ୍ମିତା ରାଉତ କାନ୍ଦି କାନ୍ଦି କହିଛନ୍ତି ଯେ, ଟୁଟୁ ଭାଇ କ’ଣ ପାଇଁ ମୋତେ ବାଡ଼େଇଲେ ମୁଁ ଜାଣିନାହିଁ । ପଛପଟୁ ଆସି ଗାଲରେ ବାଡ଼େଇଲେ । ସେଥିପାଇଁ ମୋ ବୁମ୍ ତଳେ ପଡ଼ିଗଲା । କିନ୍ତୁ ମାନବିକତା ଦୃଷ୍ଟିରୁ ବୁମ୍ ଉଠାଇବା ତ ଦୂର କଥା ସିଏ ହସି ଦେଇ ଚାଲିଯିବା ମୋତେ ବାଧିଛି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ । ମୋ ସମ୍ମାନରେ ଆଞ୍ଚ ଆସିଛି ।