ମଣ୍ଡେଇ ମଞ୍ଚ ନାଟକ ଓ ସ୍ମରଣିକା କମିଟି ବୈଠକ ଅନୁଷ୍ଠିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ଲୋକ ମହୋତ୍ସବ ମଣ୍ଡେଇ ଆସନ୍ତା ଡିସେମ୍ବର ୧୦ ତାରିଖରୁ ୧୪ ପର୍ଯ୍ୟନ୍ତ ନୂତନ ମଣ୍ଡେଇ ପଡ଼ିଆରେ ମହାସମାରୋହରେ ଅନୁଷ୍ଠିତ ହେବ । ସାଂସ୍କୃତିକ ମହୋତ୍ସବ ମଣ୍ଡେଇକୁ ସରସ ସୁନ୍ଦର ଭାବେ ଆୟୋଜନ କରିବା ନିମନ୍ତେ ବିଭିନ୍ନ ସବ କମିଟି ଗଠନ କରାଯାଇଛି । ଏହି ଅବସରେ ମଞ୍ଚ ନାଟକ, କବିତା ପାଠ ଓ ଆଲୋଚନା ଚକ୍ର ଆୟୋଜନ କରିବା ପାଇଁ କମିଟିର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକଙ୍କ ଅଧ୍ୟକ୍ଷତାରେ କମିଟିର ସମସ୍ତ ସଦସ୍ୟଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଡିସେମ୍ବର ୪ରୁ ୮ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଶାସ୍ତ୍ରୀ ଭବନରେ ମଞ୍ଚ ନାଟକ, ଡିସେମ୍ବର ୩ ତାରିଖରେ ମିଶନ ଶକ୍ତି ସଭା ଗୃହରେ କବିତା ପାଠ ଓ ଡିସେମ୍ବର ୬ ତାରିଖରେ ରାଜା ଚୈତନ୍ୟ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ମଣ୍ଡେଇ ସ୍ମରଣିକା ପାଇଁ ଇଚ୍ଛୁକ ଲେଖକ, ଲେଖିକା ଜିଲ୍ଲାର କଳା, ସଂସ୍କୃତି, ଐତିହ୍ୟ ତଥା ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, କ୍ରୀଡ଼ା ଓ ପର୍ଯ୍ୟଟନ ଇତ୍ୟାଦିର ଉନ୍ନତି ଓ ପ୍ରଗତିର ସଫଳ ବାର୍ତ୍ତା ସମ୍ପର୍କରେ ସଂଦର୍ଭ ଲେଖି ଜିଲ୍ଲା ସଂସ୍କୃତି ବିଭାଗକୁ ନଭେମ୍ବର ୨୫ ତାରିଖ ସୁଦ୍ଧା ପ୍ରେରଣ କରିବା ପାଇଁ ଆହ୍ୱାନ କରାଯାଇଛି । ଏହି ସମୟ ସୀମା ମଧ୍ୟରେ ମଣ୍ଡେଇ ମଞ୍ଚ ପାଇଁ ଜିଲ୍ଲାର ଇଛୁକ ଉଦଘୋଷକ ଓ ଉଦଘୋଷିକା ଚୟନ ପାଇଁ ମଧ୍ୟ ଆବେଦନ କରିପାରିବେ । ଜିଲ୍ଲାର ସମସ୍ତ ବ୍ଲକ ଓ ପୌରପାଳିକାରୁ ମଣ୍ଡେଇ ମଞ୍ଚ ନାଟକ ଏବଂ ମୁଖ୍ୟ ମଣ୍ଡେଇ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ପ୍ରସ୍ତୁତି ପୂର୍ବକ ଶ୍ରେଷ୍ଠ ଦଳଙ୍କୁ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନିର୍ବାହୀ ଅଧିକାରୀ ପୌରପାଳିକା, ଜିଲ୍ଲା ସଦରମହକୁମା ନବରଙ୍ଗପୁରକୁ ପଠାଇବା ଓ କାର୍ଯ୍ୟକ୍ରମ ପରେ ସମ୍ପୃକ୍ତ ଦଳଙ୍କୁ ନେବାର ସୁବ୍ୟବସ୍ଥା କରିବା ପାଇଁ ଅନୁରୋଧପୂର୍ବକ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏହି ବୈଠକରେ କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ସହାୟକ ଜିଲ୍ଲାପାଳ ଆଶୁତୋଷ ପାତ୍ର, ସ୍ମରଣିକା କମିଟି ଅଧ୍ୟକ୍ଷ ବିଜୟ କୁମାର ଚୌଧୁରୀ ଓ କମିଟିର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।