ଟଙ୍କା ନଦେବାରୁ ଛୁରାମାଡ: ବାପ ମୃତ, ପୁଅ ଆହତ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଟଙ୍କା ନଦେବାରୁ ଜଘନ୍ୟ ହତ୍ୟାକାଣ୍ଡ । ଗାଁ ଦାଣ୍ଡରେ ବହିଲା ରକ୍ତର ନଦୀ ! ଛୁରା ମାଡରେ ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଚିଲିକା ବ୍ଲକର ନଈରୀ ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ନଈରୀ ଗ୍ରାମର ସାରଥୀ ନାୟକ ଓ ଆହତ ଜଣଙ୍କ ହେଉଛନ୍ତି ମୃତକଙ୍କ ପୁଅ ସନତ ନାୟକ।ଟଙ୍କା ନଦେବାରୁ ଛୁରାମାଡମିଳିଥିବା ସୂଚନା ଅନୁଯାୟୀ, ଉଭୟ ବାପା ଓ ପୁଅ ନଈରୀ ଗ୍ରାମର ଏକ କୁକୁଡ଼ା ଫାର୍ମରେ କାମ କରନ୍ତି ।

ଗତକାଲି(ଗୁରୁବାର) କୁକୁଡ଼ା ଫାର୍ମକୁ କାମ କରିବାକୁ ଯାଇଥିବା ବେଳେ ହଠାତ ଉକ୍ତ ଗ୍ରାମର କେଦାର ନାୟକ, ତାଙ୍କ ସ୍ତ୍ରୀ ସୁଷମା ନାୟକ ଏବଂ ତାଙ୍କ ପୁଅ ସୁକାନ୍ତ ନାୟକ କୁକୁଡା ଫାର୍ମରେ ପହଞ୍ଚିଥିଲେ । ଏହାପରେ ଉଭୟ ବାପା ପୁଅଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ୨ ଲକ୍ଷ ଟଙ୍କା ମାଗିଥିଲେ । କିନ୍ତୁ ସାରଥୀ ନାୟକ ଓ ସନତ ନାୟକ ଏହାର ପ୍ରତିବାଦ କରିବାରୁ ୩ ଜଣ ଯାକ ଉତକ୍ଷିପ୍ତ ହୋଇ ବାପ ପୁଅଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ।

ଫଳରେ ଘଟଣାସ୍ଥଳରେ ପୁଅ ସନତ ଆହତ ହୋଇଥିବା ବେଳେ ସାରଥୀଙ୍କ ଛାତିରେ ଛୁରା ମାଡ଼ ହେବାରୁ ସେ ଘଟଣାସ୍ଥଳରେ ତଳେ ପଡିଯାଇଥିଲେ । ଏନେଇ ଖବର ପାଇଁ ପରିବାର ଲୋକେ ସାରଥୀଙ୍କୁ ସଙ୍ଗେ ସଙ୍ଗେ ବାଲୁଗାଁ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସାରଥୀଙ୍କ ପୁଅ ସନତ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣାରେ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରଖିଛି ପୁଲିସ । ସେପଟେ ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡିଛି । ପୁଲିସ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରିନଥିବା ସୂଚନା ମିଳିଛି । ତେବେ ମୃତକଙ୍କ ପରିବାର ସଦସ୍ୟ ଗଣମାଧ୍ୟମ ସମ୍ମୁଖରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।