କୋଲକାତା,ଏଜେନ୍ସି: କୋଲକାତାଠୁ ୧୦ କିଲୋମିଟର ଦୂରରେ ଥିବା ହାୱଡା ଜିଲ୍ଲାର ସିବପୁରରେ ଏକ ଅଭାବନୀୟ ଅଘଟଣ ଘଟିଛି। ଜଣେ ଯୁବକ ଆପାର୍ଟମେଣ୍ଟରେ ବାପା-ମାଙ୍କୁ ହତ୍ୟା କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ପରେ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ସେଠାରୁ ବାପା-ମାଙ୍କ ଗଳିତ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତାକୁ ଚିକିତ୍ସାପାଇଁ ହସ୍ପିଟାଲ ପଠାଇଥିବା ଜଣାପଡ଼ିଛି।
ପୁଲିସ ସୂଚନା ଅନୁସାରେ ଯୁବକ ଜଣଙ୍କ ୩-୪ ଦିନ ତଳେ ତାର ବାପା-ମାଙ୍କୁ ହତ୍ୟା କରିଥିଲା। ମୃତକଙ୍କ ମଧ୍ୟରେ ପ୍ରଦ୍ୟୁତ ବୋଷ(୭୦) ଓ ତାଙ୍କ ପତ୍ନୀ ଗୋପା ବୋଷ(୬୫) ରହିଛନ୍ତି। ସେହିପରି ଅଭିଯୁକ୍ତ ଜଣଙ୍କ ତାଙ୍କ ପୁଅ ସୁଭୋଜିତ ବୋଷ(୪୦) ବୋଲି ଜଣାପଡ଼ିଛି।
ପ୍ରାଥମିକ ତଦନ୍ତ ଅନୁସାରେ ପ୍ରଦ୍ୟୁତ ଜଣେ ଘରୋଇ କମ୍ପାନୀରୁ କାର୍ଯ୍ୟକରି ଅବସର ନେଇଥିଲେ। ତାଙ୍କ ପୁଅ ସୁଭୋଜିତ ଏମସିଏ କରି ବେରୋଜଗାର ବସିଥିଲେ। ସେ ଚାକିରିକୁ ନେଇ ଚିନ୍ତାରେ ରହିଥିବାବେଳେ ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା। କରୋନା ଭୂତାଣୁ ସଂକ୍ରମଣ ପରେ ପରିବାର ଚଳିବା ଆହୁରି କଷ୍ଟକର ହୋଇଯାଇଥିଲା। ଏନେଇ ପୁଅ ଏଭଳି କାଣ୍ଡ ଭିଆଇ ଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।