ମମତା ସରକାରଙ୍କୁ କେନ୍ଦ୍ରର ସାନି ନିର୍ଦ୍ଦେଶ, ତିନି ଆଇପିଏସଙ୍କୁ ଯଥାଶୀଘ୍ର ରିଲିଭ୍ କର

ନୂଆଦିଲ୍ଲୀ,ଏଜେନ୍ସି: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପଶ୍ଚିମବଙ୍ଗ କ୍ୟାଡରର ଯେଉଁ ତିନିଜଣ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା, ସେମାନଙ୍କୁ ଯଥାଶୀଘ୍ର ରିଲିଭ୍ କରିବାକୁ ଗୁରୁବାର ମନ୍ତ୍ରଣାଳୟ ପକ୍ଷରୁ ପୁଣି ରାଜ୍ୟ ସରକାରଙ୍କୁ ସାନି ନିର୍ଦ୍ଦେଶ ଦିଆଯାଇଛି। ଏମାନେ ହେଲେ ରାଜୀବ ମିଶ୍ର, ପ୍ରବୀଣ କୁମାର ତ୍ରିପାଠୀ ଓ ଭୋଳାନାଥ ପାଣ୍ଡେ। ଡେପୁଟେସନରେ ଆସିବାପରେ ରାଜୀବଙ୍କୁ ଆଇଟିବିପିର ମହାନିର୍ଦ୍ଦେଶକ, ପ୍ରବୀଣଙ୍କୁ ସଶସ୍ତ୍ର ସୀମା ବଳ ଡିଆଇଜି ଓ ଭୋଳାନାଥଙ୍କୁ ବ୍ୟୁରୋ ଅଫ୍ ପୋଲିସ ରିସର୍ଚ୍ଚ ଆଣ୍ଡ୍ ଡେଭେଲପମେଣ୍ଟର ଏସପି ପଦରେ ନିଯୁକ୍ତି ଦିଆଯିବ ବୋଲି ମନ୍ତ୍ରଣାଳୟ ଚୂଡାନ୍ତ ନିଷ୍ପତ୍ତି ନେଇଛି।
ସୂଚନାଯୋଗ୍ୟ ନଭେମ୍ବର ୧୦ରେ ବିଜେପି ସଭାପତି ଜେପି ନଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ତାଙ୍କ କାରକେଡ୍ ଉପରେ ତୃଣମୂଳ କଂଗ୍ରେସ କର୍ମୀମାନେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ନଡ୍ଡାଙ୍କ ସାଙ୍ଗରେ ଥିବା କେତେକ ବିଜେପି ନେତା ଆହତ ହୋଇଥିବାବେଳେ ଏକାଧିକ ଗାଡି ଭାଙ୍ଗିରୁଜି ଯାଇଥିଲା। ନଡ୍ଡାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସତ୍ତେ୍ୱ କର୍ତ୍ତବ୍ୟ ସମ୍ପାଦନରେ ଅବହେଳା କରିଥିବା କାରଣରୁ ମନ୍ତ୍ରଣାଳୟ ପକ୍ଷରୁ ତିନି ଆଇପିଏସ୍ଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ମମତା ବାନାର୍ଜୀ ଏହାକୁ କେନ୍ଦ୍ରର ଆକ୍ରୋଶମୂଳକ ପଦକ୍ଷେପ ଦର୍ଶାଇ ଏହି ଅଫିସରଙ୍କୁ ଏପର୍ଯ୍ୟନ୍ତ ରିଲିଭ୍ କରିନାହାନ୍ତି। ଏହାଦ୍ୱାରା ରାଜ୍ୟ ସରକାର ଆଇପିଏସ କ୍ୟାଡର ନିୟମ ୧୯୫୪ର ଧାରା ୬(୧)କୁ ଉଲ୍ଲଘଂନ କରୁଛନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।