ଶାହଙ୍କୁ ଫୋନ୍ କରିବା କଥା ପ୍ରମାଣିତ ହୋଇଗଲେ ଇସ୍ତଫା ଦେଇଦେବି

ନୂଆଦିଲ୍ଲୀ: ଟିଏମସି ରାଷ୍ଟ୍ରୀୟ ପାର୍ଟିର ମାନ୍ୟତା ହରାଇବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଫୋନ୍ କରିଥିବା ନେଇ ପ୍ରଚାର ହେଉଛି । ଆଉ ଏବେ ଏହାକୁ ନେଇ ମମତା ବାନାର୍ଜୀ ବୟାନ ଦେଇଛନ୍ତି । ମମତା କହିଛନ୍ତି ଯେ, ଟିଏମସିକୁ ରାଷ୍ଟ୍ରୀୟ ପାର୍ଟିର ମାନ୍ୟତା ଦେବା ପାଇଁ ଯଦି ମୁଁ ଅମିତ ଶାହଙ୍କୁ ଫୋନ୍ କରିବା କଥା ପ୍ରମାଣିତ ହୋଇଯାଏ ତେବେ ମୁଁ ଇସ୍ତଫା ଦେଇଦେବି । ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ପାର୍ଟି ଭାବେ ମାନ୍ୟତା ଯିବା ପରେ ଶାହଙ୍କୁ ମୁଁ ୪ଥର ଫୋନ୍ କରିଥିବା କୁହାଯାଇଛି । ଏଭଳି ମିଛ କଥା ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ଆମେ ମାମଲା ଦାୟର କରିବୁ । ମୁଁ ଭାରତର ରାଜନୀତିକୁ ଭଲ ଭାବେ ବୁଝୁଛି । ଏମାନେ ଆମର ୪ଜଣ ବିଧାୟକଙ୍କୁ ଗିରଫ କରି ରଖିଛନ୍ତି ।

ମମତା ବାନାର୍ଜୀ ଆହୁରି କହିଛନ୍ତି ଯେ, ଏମାନେ ସମସ୍ତେ କେନ୍ଦ୍ର ଏଜେନ୍ସିକୁ ନେଇ ମୋ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି । ବିଜେପି ହେଉଛି ଦେଶର ସବୁଠୁ ଭ୍ରଷ୍ଟାଚାରୀ ପାର୍ଟି । ଆମେ ଅଦାଲତକୁ ସମ୍ପୂର୍ଣ୍ଣ ରୂପେ ସମ୍ମାନ କରୁଛୁ । ବିଜେପିର ମିଛ କଥାରେ ଜମା ପଡ଼ନ୍ତୁନି ବୋଲି ମୁଁ ଜନତାଙ୍କୁ କହିବାକୁ ଚାହୁଁଛି । ଆମେ ଜାତୀୟ ପାର୍ଟି ଥିଲୁ ଏବଂ ରହିବୁ ।