ବିରୋଧୀ ଦଳ ଏକଜୁଟ ହେବାକୁ ମମତାଙ୍କ ଚିଠି

କୋଲକାତା, ଏଜେନ୍ସି: ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଅବ୍ୟବହିତ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ଏକଜୁଟ ହେବା ପାଇଁ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଆହ୍ୱାନ ଦେଇଛନ୍ତି। ମମତା ବୁଧବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ବିରୋଧୀ ଦଳଗୁଡ଼ିକର ନେତାମାନଙ୍କୁ ଏ ସଂକ୍ରାନ୍ତରେ ପତ୍ର ଲେଖିଛନ୍ତି। ସୋନିଆଙ୍କ ବ୍ୟତୀତ ମମତା ଅନ୍ୟ ଯେଉଁ ନେତାମାନଙ୍କୁ ଚିଠି ଲେଖିଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି ଶରଦ ପାୱାର, ଏମ୍କେ ଷ୍ଟାଲିନ୍, ତେଜସ୍ୱୀ ଯାଦବ, ଉଦ୍ଧବ ଠାକରେ, ଅରବିନ୍ଦ କେଜ୍ରିୱାଲ ଓ ନବୀନ ପଟ୍ଟନାୟକ।
ମମତା ଏମାନଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି, ‘ଭାରତର ଗଣତନ୍ତ୍ର ସାମ୍ବିଧାନିକ ସଂଘୀୟ ବ୍ୟବସ୍ଥା ଉପରେ ବିଜେପି ଓ ଏହାର ସରକାର ଯେଭଳି କ୍ରମାଗତ ଆକ୍ରମଣ କରିଚାଲିଛି ତାହା ଉଦବେଗର କାରଣ ହୋଇଛି। ବିଜେପିର ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟକୁ ପ୍ରତିହତ କରିବା ପାଇଁ ସମସ୍ତେ ଏକଜୁଟ ହେବାର ବେଳ ଆସିଛି ବୋଲି ମୋର ଦୃଢ଼ ବିଶ୍ୱାସ।’ ଏହି ଅବସରରେ କେନ୍ଦ୍ର ସରକାର ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ(ସଂଶୋଧନ) ବିଲ୍ ପାର୍ଲାମେଣ୍ଟରେ ପାସ୍ କରିଥିବାରୁ ମମତା ଏହାକୁ କଡ଼ା ସମାଲୋଚନା କରିଛନ୍ତି।