ଆହୁରି ଶକ୍ତିଶାଳୀ ହେବ ବାୟୁସେନା, ଆସୁଛି ଆଉ ୩ ରାଫେଲ ବିମାନ

ନୂଆଦିଲ୍ଲୀ,ଏଜେନ୍ସି: ଫ୍ରାନ୍ସରୁ ଆଉ ତିନୋଟି ରାଫେଲ ଲଢ଼ୁଆ ବିମାନ ବୁଧବାର ଗୁଜରାଟ ଅଭିମୁଖେ ଯାତ୍ରା କରିଛି। ଏଗୁଡ଼ିକୁ ଅମ୍ବାଲା ବାୟୁସେନା ଘାଟିକୁ ପଠାଯିବ। ଏହି ତିନୋଟି ବିମାନ ଅଣାଯିବା ପରେ ଭାରତୀୟ ବାୟୁସେନା ପାଖରେ ରାଫେଲ ବିମାନ ସଂଖ୍ୟା ୧୪କୁ ବୃଦ୍ଧି ପାଇବ।
ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ସୂତ୍ରରୁ ଜଣାପଡ଼ିଛି ଯେ ବୁଧବାର ଭାରତୀୟ ସମୟ ସକାଳ ୭ଟା ବେଳେ ଫ୍ରାନ୍ସର ବୋରଡିକ୍ସରେ ଥିବା ମେରିଗନାଗ ଏୟାର୍ ବେସ୍ରୁ ଏହି ତିନି ରାଫେଲ ଜେଟ୍ ଉଡ଼ାଣ ଆରମ୍ଭ କରିଥିଲା। ଓମାନ୍ ସାଗର ଉପର ଦେଇ ଭାରତ ଆସିବା ବାଟରେ ମଧ୍ୟ-ଆକାଶରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଇଏ) ବାୟୁସେନାର ପରିବହନ ବିମାନ ସେଥିରେ ଇନ୍ଧନ ଭରିଥିଲା। ଏହି ତିନି ରାଫେଲ ଜେଟକୁ ଅମ୍ବାଲାସ୍ଥିତ ଗୋଲଡେନ୍ ଆରୋ ସ୍କ୍ୱାର୍ଡନରେ ସାମିଲ କରାଯିବ। ଏପ୍ରିଲ ମାସରେ ଆଉ କେତୋଟି ରାଫେଲ ବିମାନ ଭାରତକୁ ଅଣାଯିବାର କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖଯୋଗ୍ୟ ୩୬ଟି ରାଫେଲ ବିମାନ ଯୋଗାଇ ଦେବା ଲାଗି ଭାରତ-ଫ୍ରାନ୍ସ ମଧ୍ୟରେ ୫୯,୦୦୦ ହଜାର କୋଟି ଟଙ୍କାର ଚୁକ୍ତି ହୋଇଛି। ଚୁକ୍ତିନାମା ଅନୁଯାୟୀ ୨୦୨୨ ସୁଦ୍ଧା ଭାରତ ଏହି ୩୬ଟି ଯାକ ଲଢ଼ୁଆ ବିମାନ ପାଇଯିବ ବୋଲି ଆଶା କରାଯାଉଛି।