ଆଜି ୩ୟ ଥର ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ମମତା, ହିଂସା ବିରୋଧରେ ଧାରଣାରେ ବସିବେ ଜେପି ନଡ୍ଡା

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଆସିଯାଇଛି। ଏହି ନିର୍ବାଚନରେ ତୃଣମୂଳ କଂଗ୍ରେସର ବିଜୟ ହୋଇଛି। ମାତ୍ର ନିର୍ବାଚନ ଫଳାଫଳ ଆସିବା ପରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସା ଦେଖାଯାଇଛି। ଏହାରି ମଧ୍ୟରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଆଜି ପୂର୍ବାହ୍ଣ ୧୦ଟା ୪୫ରେ ରାଜଭବନରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଅନ୍ୟପଟେ ପଶ୍ଚିମବଙ୍ଗରେ ହିଂସା ଜାରି ଥିବାରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି କୋଲକାତାରେ ଧାରଣାରେ ବସିବେ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ମମତା ବାନାର୍ଜୀଙ୍କ ଶପଥଗ୍ରହଣ ସମାରୋହରେ କେବଳ ୫୦ ଜଣ ଲୋକଙ୍କୁ ଆମନ୍ତ୍ରିତ କରାଯାଇଛି। ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ, ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ, କଂଗ୍ରେସ ରାଜ୍ୟ ସଭାପତି ଅଧୀର ରଂଜନ ଚୌଧୁରୀ ଓ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ରହିଛନ୍ତି।

ଏହି କାର୍ଯ୍ୟକ୍ରମ ୫୫ ମିନିଟ ଭିତରେ ହିଁ ଶେଷ ହେବ। ଶପଥଗ୍ରହଣ ପରେ ମମତା ସିଧାସଳଖ ନବନ୍ନା ଯିବେ ଏବଂ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ। ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ୨୯୨ରୁ ୨୧୩ ଆସନରେ ବିଜୟୀ ହୋଇ ତୃତୀୟ ଥର ପାଇଁ କ୍ଷମତାକୁ ଆସିଛି। ବିଜେପିକୁ ୭୭ଟି ଆସନରେ ବିଜୟ ମିଳିଛି। ୨ଟି ସିଟକୁ ଅନ୍ୟ ଦଳ ଦଖଲ କରିଛନ୍ତି।