ମୋଦୀଙ୍କୁ ଭେଟିଲେ ମମତା: ସିଏଏ ପ୍ରତ୍ୟାହାର ଦାବି

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦୁଇଦିନିଆ କୋଲକାତା ଗସ୍ତରେ ଯାଇଥିଲାବେଳେ ସେଠାରେ ତାଙ୍କୁ ଜୋରଦାର ବିରୋଧ କରାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦୀଙ୍କୁ ଭେଟି ନାଗରିକତା ସଂଶୋଧନ ଆଇନ୍ (ସିଏଏ), ଜାତୀୟ ନାଗରିକ ପଞ୍ଜିକା (ଏନଆରସି) ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି। ଏହି ଅବସରରେ ମୋଦୀ କୋଲକାତାରେ ୪ଟି ଐତିହ୍ୟସମ୍ପନ୍ନ ଅଟ୍ଟାଳିକାକୁ ଲୋକାର୍ପଣ କରି କହିଛନ୍ତି, ଭାରତକୁ ଏକ ଐତିହ୍ୟ ପର୍ଯ୍ୟଟନର ପେଣ୍ଠସ୍ଥଳୀରେ ପରିଣତ କରାଯିବ।

ପ୍ରଧାନମନ୍ତ୍ରୀ କହିଛନ୍ତି, ବେଙ୍ଗଲର ସଂସ୍କୃତି ଓ ଐତିହ୍ୟ ଅତି ମହାନ। ଏହାକୁ ଅକ୍ଷୁଣ୍ଣ ରଖିବାକୁ ପଡ଼ିବ। ଆମେ ୨୦୨୨ରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ୨୦୦ତମ ଜୟନ୍ତୀ ପାଳନ କରିବାକୁ ଯାଉଛେ। ସେହି ସମୟରେ ଭାରତ ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ କରିବ। ଦେଶ ମଧ୍ୟ ମହାନ ସମାଜ ସଂସ୍କାରକ ରାଜା ରାମମୋହନ ରାୟଙ୍କ ୨୫୦ତମ ଜୟନ୍ତୀ ପାଳନ କରିବାକୁ ଯାଉଛି। ମୋଦୀ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଆଜିର ସମାଜରେ ସ୍ୱାମୀଜୀଙ୍କ ବାଣୀର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି ବୋଲି କହିଥିଲେ।

ମୋଦୀ କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ତମ ବାର୍ଷିକୀ ପାଳନ ଉତ୍ସବରେ ଯୋଗଦେବାକୁ ଆସି ଶନିବାର ପୂର୍ବାହ୍ନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚବାମାତ୍ରେ ରାଜ୍ୟପାଳ ଜଗଦୀପ ଧନକର, କୋଲକାତା ମେୟର ଓ ମନ୍ତ୍ରୀ ଏଫ ହାକିମ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ। ଏହାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜଭବନରେ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ରାଜ୍ୟରେ ଶାସକ ଦଳ ସିଏଏକୁ ଜୋରଦାର ବିରୋଧ କରୁଥିବାବେଳେ ମୋଦୀ କୋଲକାତା ଗସ୍ତରେ ଆସିଛନ୍ତି। ମୋଦୀଙ୍କୁ ସାକ୍ଷାତ କରିବା ପରେ ମମତା ଗଣମାଧ୍ୟମକୁ କହିଥିଲେ, ଆମେ ସିଏଏ ଓ ଏନଆରସିକୁ ଜୋରଦାର ବିରୋଧ କରୁଛୁ। ଜନସାଧାରଣଙ୍କୁ ଭାଗ ଭାଗ କରିବାକୁ ଆମେ ଚାହୁଁନାହୁଁ। ତେଣୁ ସିଏଏ ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାର ପୁନର୍ବିଚାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି ବୋଲି ମମତା ସାମ୍ବାଦିକମାନଙ୍କୁ କହିଛନ୍ତି।

ଧାରଣାରେ ବସିଲେ ମମତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜଭବନରେ ଭେଟିବା ପରେ କୋଲକାତାରେ ତୃଣମୂଳ କଂଗ୍ରେସ ଛାତ୍ର ଶାଖାର ଧାରଣାରେ ସାମିଲ ହୋଇଥିଲେ। ସେଠାରେ ସେ କହିଥିଲେ, ସିଏଏ ବିଜ୍ଞପ୍ତି କେବଳ କାଗଜ ଖଣ୍ଡେ। ଏହାକୁ କଦାପି କାର୍ଯ୍ୟକାରୀ କରାଇ ଦିଆଯିବ ନାହିଁ। ଉଲ୍ଲେଖଯୋଗ୍ୟ ମୋଦୀ କୋଲକାତାରେ ପହଞ୍ଚବା ପୂର୍ବରୁ ଛାତ୍ର ଓ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ବିକ୍ଷୋଭକାରୀମାନେ ଗୋ-ବ୍ୟାକ୍ ମୋଦୀ (ଫେରିଯାଅ ମୋଦୀ) ନାରା ଦେଇଥିଲେ। ଏହି ବିକ୍ଷୋଭ ସମାବେଶରେ କଳାରଙ୍ଗର ବ୍ୟାନର, ହୋର୍ଡିଙ୍ଗ୍ମାନ ଦେଖିବାକୁ ମିଳିଥିଲା। କଲେଜ ସ୍କୋୟାରରୁ ପ୍ରେସିଡେନ୍ସି ୟୁନିଭର୍ସିଟି ପର୍ଯ୍ୟନ୍ତ ଛାତ୍ରମାନଙ୍କର ଏକ ବିରାଟ ପଟୁଆର ବାହାରିଥିଲା। ଗୋଲ୍ ପାର୍କରେ ଛାତ୍ରଛାତ୍ରୀମାନେ କଳା ବେଲୁନ୍ ଉଡ଼ାଇଥିଲେ। ରବୀନ୍ଦ୍ର ସେତୁ (ହାୱଡ଼ା ବ୍ରିଜ୍)ଠାରେ ସିପିଏମ୍ କର୍ମୀମାନେ ମଧ୍ୟ କଳାପତାକା ପ୍ରଦର୍ଶନ କରିଥିଲେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏୟାରପୋର୍ଟରେ ମଧ୍ୟ ମୋଦୀଙ୍କ ଆଗମନ ସମୟରେ ପୂର୍ବରୁ ଗୋ-ବ୍ୟାକ୍ ମୋଦୀ ସ୍ଲୋଗାନ ଶୁଣାଯାଇଥିଲା।