ଆଜି କଂଗ୍ରେସ ସଭାପତି ଭାବେ ଦାୟିତ୍ବ ନେବେ ମଲ୍ଲିକାର୍ଜୁନ ଖଡ୍‌ଗେ

ନୂଆଦିଲ୍ଲୀ,ଏଜେନ୍ସି: ନବନିର୍ବାଚିତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିବେ । ଦିନ ୧୧ଟାରେ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) ମୁଖ୍ୟାଳୟରେ ସେ ଦାୟିତ୍ବ ନେବେ । ଦଳର କେନ୍ଦ୍ରୀୟ ନିର୍ବାଚନ କର୍ତ୍ତୃପକ୍ଷ ମୁଖ୍ୟ ମଧୁସୂଦନ ମିସ୍ତ୍ରୀ ଖଡଗେଙ୍କୁ ନିର୍ବାଚନ ସାର୍ଟିଫିକେଟ ପ୍ରଦାନ କରିବେ । ଏଥିପାଇଁ ଏଆଇସିସି ମୁଖ୍ୟାଳୟରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଆଜିର ଏହି କାର୍ଯ୍ୟକ୍ରମରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ କଂଗ୍ରେସର କାର୍ଯ୍ୟକାରୀ କମିଟି ସଦସ୍ୟ, ସାଂସଦ, ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ, କଂଗ୍ରେସ ବିଧାୟକ ଦଳ ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଦଳର ବହୁ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ ।

ଏହି ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ କଂଗ୍ରେସର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଦଳର ସମସ୍ତ ବରିଷ୍ଠ ନେତୃବୃନ୍ଦଙ୍କୁ ଆମନ୍ତ୍ରିତ କରିଛନ୍ତି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମଧ୍ୟ ଏଥିରେ ଯୋଗ ଦେବେ । ଏନେଇ ମଙ୍ଗଳବାର ବାଘେଲ କହିଛନ୍ତି, ”କଂଗ୍ରେସ ପାର୍ଟିର ସଭାପତି ଭାବେ ମଲ୍ଲିକାର୍ଜୁନ ଖଡ୍‌ଗେ କାର୍ଯ୍ୟଭାର ସମ୍ଭାଳିବେ । ଏହି ଅବସରରେ ଉପସ୍ଥିତ ରହିବା ପାଇଁ ନିମନ୍ତ୍ରିତ କରାଯାଇଛି । ଏଥିପାଇଁ ମୁଁ ଦିଲ୍ଲୀ ଯାଉଛି ।”

ପ୍ରକାଶଥାଉ କି, ଗତ ୧୭ ତାରିଖରେ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ହୋଇଥିଲା । ଏଥିରେ ମଲ୍ଲିକାର୍ଜୁନ ଖଡ୍‌ଗେ ସାଂସଦ ଶଶୀ ଥରୁରଙ୍କ ବିପୁଳ ଭୋଟରେ ହରାଇ ବାଜିମାତ୍ କରିଥିଲେ । ଏହାସହିତ ୨୪ ବର୍ଷ ପରେ କଂଗ୍ରେସ ଜଣେ ଅଣଗାନ୍ଧୀ ସଭାପତି ପାଇଥିଲା । ଖଡ୍‌ଗେଙ୍କ ସପକ୍ଷରେ ମୋଟ ୭,୮୯୭ ଖଣ୍ଡ ଭୋଟ ପଡିଥିଲା । ଅନ୍ୟପକ୍ଷେ ଥରୁର ମାତ୍ର ୧,୦୭୨ ଖଣ୍ଡ ଭୋଟ ପାଇଥିଲ ।