ସାମାଜିକ ଦୂରତା ସହ ସରକାରଙ୍କ ନିୟମ ମାନିଲେ ନିଶ୍ଚିତ ଆମେ ଜିତିବା : ଉପ ଜିଲ୍ଲାପାଳ

ମାଲକାନଗିରି,ଏନ୍ଏନ୍ଏସ୍ : କରୋନା ଭୂତାଣୁ ବିଶ୍ୱବ୍ୟାପି ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାକୁ ପ୍ରତିରୋଧ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି । ଏହି ମହାମାରୀର ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲାରେ ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରତି ଦିଗ ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି । ସାମାଜିକ ଦୂରତା ସହ ସରକାରଙ୍କ ନିୟମ ମାନିଲେ ନିଶ୍ଚିତ ଆମେ ଜିତିବା ବୋଲି ଉପ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ପ୍ରକାଶ କରିଛନ୍ତି ।

ଜିଲ୍ଲାରେ ଗତକାଲି ସୁଦ୍ଧା ୪୯୦୬୪ ରାସନକାର୍ଡ ଧାରୀଙ୍କୁ ଅଗ୍ରୀମ ଏକ ହଜାର ଟଙ୍କା ନଗଦ ଆର୍ଥିକ ସହାୟତା ପ୍ରଦାନ ସହ ଜିଲ୍ଲାରେ ୭୮୫୪୬ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ବାବଦକୁ କୁପନ ମାଧ୍ୟମରେ ଚାଉଳ ଯୋଗାଇ ଦିଆଯାଇଛି । ଏଥିସହ ସାଧାରଣ ବଂଟନ ବ୍ୟବସ୍ଥାରେ ୯୯୭୦୦ ପରିବାରଙ୍କୁ ୬୧୩୮୯ କ୍ୱିଂଟାଲ ଚାଉଳ ଯୋଗାଇ ଦିଆଯାଇଛି । ଜିଲ୍ଲାର ଅଗ୍ରଣି ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାଧ୍ୟମରେ ଗ୍ରାମ ଗ୍ରାମ ବୁଲି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି । ମାଲକାନଗିରି ପୌରପରିଷଦ ଏବଂ ବାଲିମେଳା ବିଜ୍ଞାପିତ ଅଂଚଳପରିଷଦର ୩୭୫ଜଣ ସାହି ଭେଣ୍ଡରଙ୍କୁ ୩ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛିା । ଜିଲ୍ଲାରେ ୨୮୧୨୩ ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ମଧ୍ୟରୁ ଆଜି ପର୍ଯ୍ୟନ୍ତ ୨୨୯୨ ଜଣଙ୍କୁ ଜଣଙ୍କ ପିଛା ୧୫ଶହ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରା ଯାଇଛି ।

ଏହି ଯୋଜନାରେ ମୋଟ ୩୪ ଲକ୍ଷ ୩୮ ହଜାର ଟଙ୍କା ପ୍ରଦାନ କରାଯାଇଛି । ସାମାଜିକ ନିରାପତା ପେନସନ ଯୋଜନା ମାଧ୍ୟମରେ ଜିଲ୍ଲାର ୭୯୧୩୩ ଜଣଙ୍କୁ ମୋଟ ୧୬କୋଟି ୨ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଗତକାଲି ଠାରୁ ସମସ୍ତ ମାସ୍କ ପିନ୍ଧିବା ବାଧ୍ୟତାମୁଳକ କରାଯାଇଛି । ଉନ୍ନତମାନର ମାକ୍ସ ନିର୍ମାଣ ପ୍ରସ୍ତୁତି ପାଇଁ ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଉପ ଜିଲ୍ଲାପାଳ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ମାଲକାନଗିରି ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଂଚଳରେ ୧୧୬୦୦ଜଣ ଅସହାୟ,ଗରିବ ଓ ଅଭାବି ଲୋକଙ୍କୁ ରନ୍ଧା ଖାଦ୍ୟ ବଂଟନ କରାଯିବା ସହ ମାଲକାନଗିରି ପୌର ପରିଷଦ ଓ ବାଲିମେଳା ବିଜ୍ଞାପିତ ଅଂଚଳ ପରିଷଦରେ ରହୁଥିବା ୧୫୨ ଜଣ ଏବଂ ଜିଲ୍ଲାର ସମସ୍ତ ବ୍ଲକରେ ରହୁଥିବା ୨୪୭ଜଣ ଅସହାୟ ଗରିବ ଓ ନିରାଶ୍ରୟଙ୍କୁ ସୁଖିଲା ରେସନ ସାମଗ୍ରୀ ଯୋଗାଇ ଦିଆଯାଇଛି ବୋଲି କହିବା ସହ ବାହାର ରାଜ୍ୟରୁ ଆସି ରହିଥିବା ୬୫୫ଜଣଙ୍କୁ ଶୁଖିଲା ରାସନ ସାମଗ୍ରୀ ଯୋଗାଇ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି । ଯେଉଁମାନେ ଲକଡାଉନ ନିୟମକୁ ଖିଲାପ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ମାଲକାନଗିରି ଜିଲ୍ଲାରେ ମୋଟ ୨୫୧ଟି ମୋଟର ସାଇକେଲ ଜବତ କରା ଯାଇଥିବା ବେଳେ ୨୮ ଜଣ ଆଇନ ଖୀଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନଷ୍ଠାନ ଗ୍ରହଣ କରା ଯାଇଛି । ଗୃହରୁ ଅଲଗା ରହିବା ଆଇନକୁ ଉଲଂଘନ କରିଥିବା ଜିଲ୍ଲାର ୨୧୫ ଜଣଙ୍କୁ ବିଭିନ୍ନ କ୍ୟାମ୍ପରେ ରଖାଯାଇଛି । ଲକଡାଉନ ସମୟରେ ବାହାର ରାଜ୍ୟରୁ ଆସିଥିବା ୩୫୧ ଜଣଙ୍କୁ ସୀମା କ୍ୱାରେଂଟାଇନ କ୍ୟାମ୍ପରେ ରଖାଯାଇଛି । ଜିଲ୍ଲାରେ ୧୧ଟି ମନିଟରିଙ୍ଗ ଟିମ୍, ୨ଟି ଆର୍.ଆର୍.ଟି ଟିମ୍ ମାଧ୍ୟମରେ ପ୍ରତିଦିନ ସେମାନଙ୍କ ସ୍ୱାସ୍ଥ୍ୟ ତଦାରଖ କରା ଯାଉଥିବା ବେଳେ ୫୩ଟି ସତର୍କ ଟିମକୁ ରଖାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି । କୋବିଡ୍ ୧୯ ମୁକାବିଲା ପାଇଁ ୩୦ ଜଣ ଡାକ୍ତରଙ୍କ ସହ ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ୧୧ ଓ ୧୨ ତାରିଖ ଦୁଇଦିନ ସ୍ୱତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଛି ।

କୌଣସି ବ୍ୟକ୍ତିଙ୍କ କୋଭିଡ ଲକ୍ଷଣ ଦେଖାଗଲେ ସ୍ଥାନୀୟ ଆଶାକର୍ମୀ, ଅଙ୍ଗନବାଡି କର୍ମୀ ଓ ଏ.ଏନ୍.ଏମ୍.ଙ୍କୁ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲାର ସମସ୍ତ ଅଂଚଳରେ ବିଦ୍ୟୁତ୍, ଜଳ ଯୋଗାଣ ବ୍ୟବସ୍ଥା ଥାଇ ୧୪୩ ଅସ୍ଥାୟୀ କେନ୍ଦ୍ରରେ ୫୫୫୫ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି । ସେହିପରି ଦୁଇଟି ପୌର ଅଂଚଳରେ ୬ଟି ଅସ୍ଥାୟୀ କେନ୍ଦ୍ରରେ ୭୭୧ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି । କୌଣସି ଅଘଟଣକୁ ସାମନା କରିବା ପାଇଁ ଗୋଟିଏ କୋଭିଡ ଚିକିତ୍ସାଳୟକୁ ପ୍ରସ୍ତୁତ କରାଯାଉଛି ବୋଲି ଉପ ଜିଲ୍ଲାପାଳ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।