ସୁକୁମା ଜିଲ୍ଲାପାଳଙ୍କୁ ଭେଟିବାକୁ ଯାଉଥିବା ଗ୍ରାମବାସୀଙ୍କୁ ଅଟକାଇଲେ ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ : ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶୃତି

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ସଦର ବ୍ଲକ ମାଟାପାକା ଗ୍ରାମ ପଂଚାୟତ ଅନ୍ତର୍ଗତ ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାକୁ ଲାଗିଥିବା କତାମାଟେରୁ ଗ୍ରାମର ୧୫୦ ଆଦିବାସୀ ପରିବାର ଗତ ୧୩ ତାରିଖ ଦିନ ଉକ୍ତ ଗ୍ରାମର ବିଭିନ୍ନ ସମସ୍ୟାକୁ ନେଇ ଏକ ବୈଠକରେ ଦୀର୍ଘ ୭୨ ବର୍ଷ ହେଲା ସେମାନଙ୍କୁ କୌଣସି ସୁବିଧା ମିଳୁନଥିବା ଅଭିଯୋଗ କରି ପଡ଼ୋଶୀ ଛତିଶଗଡ଼ରେ ସାମିଲ ପାଇଁ ନିଷ୍ପତି ନେଇଥିଲେ। ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ସତ୍ୱେ ରାଜ୍ୟ କିମ୍ବା ଜିଲ୍ଲା ପ୍ରଶାସନ ସେମାନଙ୍କ ଅଭିଯୋଗ ପ୍ରତି କୌଣସି ପଦକ୍ଷେପ ନେଉ ନଥିବାରୁ ସୋମବାର ଗ୍ରାମବାସୀମାନେ ଛତିଶଗଡରେ ତାଙ୍କ ଗ୍ରାମକୁ ମିଶାଇବା ପାଇଁ ସୁକୁମା ଜିଲ୍ଲାପାଳଙ୍କୁ ଅନୁରୋଧ କରିବାକୁ ଯାଉଥିବା ଖବର ପାଇ ପୂର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି କତାମାଟେରୁ ଗ୍ରାମକୁଯାଇ ଲୋକମାନଙ୍କୁ ଅଟକାଇଥିଲେ।

ପରେ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଶ୍ରୀ ମାଡକାମି ଗ୍ରାମବାସୀମାନଙ୍କୁ ପ୍ରତିଶୃତି ଦେଇଥିଲେ ଯେ, କତାମାଟେରୁ ଗ୍ରାମର ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସମସ୍ୟାର କିପରି ତୁରନ୍ତ ସମାଧାନ ହେବ ସେ ସମ୍ବନ୍ଧରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ। ତାଙ୍କ ପ୍ରତିଶ୍ରୃତି ପରେ ଗ୍ରାମବାସୀମାନେ ସୁକୁମା ଜିଲ୍ଲାପାଳଙ୍କୁ ଭେଟିବା କାର୍ଯ୍ୟକ୍ରମ ସ୍ଥଗିତ ରଖି ୧୫ଦିନ ସମୟ ଦେଇଛନ୍ତି। ଆସନ୍ତା ୧୫ଦିନ ମଧ୍ୟରେ ଗ୍ରାମରେ ରାସ୍ତା କାମ ଆରମ୍ଭ ନହେଲେ ଗ୍ରାମବାସୀମାନେ ବାଧ୍ୟ ହୋଇ ସୁକୁମା ଜିଲ୍ଲାପାଳଙ୍କୁ ମିଶି ଦରଖାସ୍ତ ଦେବେ ବୋଲି ପ୍ରକାଶ କରିଛନ୍ତି। ଶ୍ରୀ ମାଡକାମି ଏକ ବୈଠକ କରି କେବଳ ରାସ୍ତା ନୁହେଁ ଗ୍ରାମର ଲୋକମାନଙ୍କ ଶିକ୍ଷା, ବିଜୁ ପକ୍କାଗୃହ, ପାନୀୟଜଳ, କୃଷି, ସହ ଅନ୍ୟାନ୍ୟ କ୍ଷେତ୍ରରେ କିପରି ବିକାଶ ହେବ ଏଥିସହ ସେହି ଅଂଚଳରେ ପ୍ରଚୁର ତାଳଗଛ ଥିବାରୁ ତାଳ ଗଛ ରସରୁ ଗ୍ରାମବାସୀମାନେ କିପରି ଗୁଡ ଏବଂ ମିଶ୍ରି ପ୍ରସ୍ତୁତ କରିବେ ସେ ସମ୍ବନ୍ଧରେ ତାଲିମପ୍ରଦାନ କରି ଗ୍ରାମରେ ଏକ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା କରାଯିବ ବୋଲି ପ୍ରକାଶ କରିଥିଲେ। ଶ୍ରୀ ମାଡକାମିଙ୍କ ସହ ସମାଜସେବୀ ଅକ୍ଷୟ ମହାନ୍ତି, ଶ୍ରୀନିବାସ ରାଓ, କେଶା ପଡିଆମି ଗ୍ରାମବାସୀଙ୍କୁ ସୁକୁମା ନଯିବା ପାଇଁ ପରାମର୍ଶ ଦେଇଥିଲେ।

ପ୍ରକାଶ ଥାଉ କି, ୧୯୫୯ ମସିହାରୁ ପ୍ରତିଷ୍ଠା ହୋଇଥିବା ଏକ ଆଶ୍ରମ ବିଦ୍ୟାଳୟରେ ୩୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି। ରାସ୍ତା ପାଇଁ ଦୀର୍ଘ ୨୦ ବର୍ଷ ହେଲା ମାଟାପାକା ସରପଂଚ ଏବଂ ଅଂଚଳବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ ମଧ୍ୟ ତାଙ୍କ ସମସ୍ୟା କେହି ଶୁଣୁନାହାନ୍ତି। ଏପରିକି ପଂଚାୟତ ବୈଠକରେ ରେଜୁଲେସନ କରା ଯାଇ ରାସ୍ତା ନିର୍ମାଣ ପାଇଁ ଅନେକ ପ୍ରସ୍ତାବ ଦିଆ ଯାଇଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଆଖି ବୁଝି ଦେଇଛି।

ମାଲକାନଗିରି ସଦର ବ୍ଲକ ମାଟାପାକା ଗ୍ରାମ ପଂଚାୟତ ସଦର ମହକୁମା ଠାରୁ ୬ କିଲୋମିଟର ଦୂର ସାବେରୀ ନଦୀ କୁଳରେ କତାମାଟେରୁ ଗ୍ରାମ। ବର୍ଷାଦିନେ ମାଟାପାକାରୁ କତାମାଟେରୁ ଯିବାପାଇଁ ଅନେକ ସମସ୍ୟା ଉପୁଜିଥାଏ। ଏପରିକି ତାଙ୍କ ଗ୍ରାମରେ ଥିବା ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଲକାନଗିରିରୁ ଖାଦ୍ୟ ପେୟ ନେବାବେଳେ ଏହି ୬ କିଲୋମିଟର ରାସ୍ତାରେ କୌଣସି ଗାଡି ନଯିବାରୁ ବାଧ୍ୟ ହୋଇ ଗ୍ରାମବାସୀ ଏବଂ ଅନେକ ଛାତ୍ର ସେମାନଙ୍କର ଚାଉଳ, ଅନ୍ୟାନ୍ୟ ପନିପରିବା ସହ ଖାଦ୍ୟ ସାମଗ୍ରୀ କାନ୍ଧରେ ବୁହାଇ କାଦୁଅ ରାସ୍ତାରେ ଚାଲି ଚାଲି ଯାଆନ୍ତି। ଗତ ଜୁଲାଇ ମାସରେ ଗ୍ରାମବାସୀମାନେ ଏହି ରାସ୍ତାରେ କାଦୁଅରେ ଧାନରୋଇ ଏକ ଅଭିନବ ପ୍ରତିବାଦ ଜଣାଇଥିଲେ। ଏହା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ରେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗି ନଥିଲା।