ଲକ ଡାଉନ ନିୟମ ଉଲଂଘନ କରି ୪ ଜଣ ଗିରଫ

ମାଲକାନଗିରି,ଏନ୍ଏନ୍ଏସ୍ : ଗତ ମଙ୍ଗଳବାର ମଧ୍ୟରାତ୍ରି ଠାରୁ ସାରା ରାଜ୍ୟରେ ତାଲା ବନ୍ଦ ଘୋଷଣା ହୋଇଥିବା ବେଳେ ନିୟମକୁ ଉଲଂଘନ କରିଥିବା ଅଭିଯୋଗରେ ପୁଲିସ ମାଲକାନଗିରି ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ କାଲିମେଳା ଥାନା ପୁଲିସ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣକୁ ନୋଟିସ ଜାରୀ କରିଛି। ଲକ ଡାଉନ ଘୋଷଣା ହେବା ପରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନକୁ ଏଥିରୁ ବାଦ ଦିଆଯାଇଛି।

ତେବେ ଏହି ନିୟମ ଉଲଂଘନ କରି ଏମ.ଭି-୭ ଗ୍ରାମରେ କିଛି ବ୍ୟକ୍ତି ଦେକାନ ଖୋଲିଥିବା ପୁଲିସ ଖବର ପାଇ ଗତକାଲି ରାତ୍ରିରେ ଚଢ଼ାଉ କରିଥିଲା। ଏଥିରେ ତମସା ଗ୍ରାମର ଦେବା ମାଡ଼କାମି(୪୦), ଏମ.ଭି-୭ ଗ୍ରାମର ଜଗଦିଶ ବିଶ୍ୱାସ(୩୮) ଓ ଦୁନହମ ବିଶ୍ୱାସ(୨୨)କୁ ପୁଲିସ ଗିରଫ କରି କେସ ନମ୍ବର ୯୩ରେ ମାମଲା ରୁଜ୍ଜୁ କରିଛି।

ସେହିଭଳି କାଲିମେଳା ଥାନା ପୁଲିସ ଏମ.ପି.ଭି-୧୦ ଗ୍ରାମର ରାସ୍ତା କଡ଼ରେ ସୁଜନ ମଜୁମଦାର(୪୯) ଦରଜି ଦୋକାନ ଖୋଲିଥିବାରୁ କେସ ନମ୍ବର ୩୭ ରେ ଏକ ମାମଲା ରୁଜ୍ଜୁ କରାଯାଇଛି। ଅନ୍ୟ ୩ ଜଣ ବ୍ୟକ୍ତି ବିନା କାର୍ଯ୍ୟରେ କାଲିମେଳା ବଜାରରେ ବୁଲୁଥିବାରୁ ଅଟକ ରଖି ପଚରାଉଚରା କରି ନୋଟିସ ଦେଇ ଛାଡ଼ି ଦିଆଯାଇଥିବା ଥାନା ଭାରପ୍ରାପ୍ତ ନିରୀକ୍ଷକ ସୁରୋଜ କୁମାର ଝଙ୍କାର ପ୍ରକାଶ କରିଛନ୍ତି।