ମଧ୍ୟାହ୍ନ ଭୋଜନ ଦେବାକୁ ଦେଶୀ ଡଙ୍ଗାରେ ଚାଉଳ ନେଉଛନ୍ତି ଶିକ୍ଷକ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଆଜି ମଧ୍ୟ ଅନେକ ଗ୍ରାମ ରହିଛି, ଯେଉଁଠି ଯାତାୟାତର ସୁବିଧା ନାହିଁ। ଜିଲ୍ଲାର ଅନେକ ଗ୍ରାମ ବାହ୍ୟ ଜଗତ ଠାରୁ ବିଚ୍ଛିନ୍ନ ହୋଇ ରହିଛି। ବର୍ତ୍ତମାନ କରୋନା ପାଇଁ ପ୍ରାଥମିକ ବିଦ୍ୟାଳୟ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଉଛି। ତେଣୁ ସ୍ୱାଭିମାନ ଅଞ୍ଚଳର ଶିକ୍ଷକମାନେ ଦେଶୀ ଡଙ୍ଗାରେ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଚାଉଳ ନେଉଛନ୍ତି । ଏଭଳି ଚିତ୍ର ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ସନ୍ୟାସୀଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି। ବିଦ୍ୟାଳୟକୁ ଯିବାକୁ ସିଧାସଳଖ ଯୋଗାଯୋଗର ବ୍ୟବସ୍ଥା ନାହିଁ। ତେଣୁ ସନ୍ୟାସୀଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାଜେଶ କଷା ୨କିମି ର ବିପଦପୂର୍ଣ୍ଣ ଜଳଯାତ୍ରା ପରେ ଯନ୍ତ୍ରୀ ଗ୍ରାମରେ ପହଞ୍ଚିବା ପରେ ସେଠାରୁ ସନ୍ୟାସୀଗୁଡା ପ୍ରାଥମିକ ବିଦ୍ୟାଳୟକୁ ୧ କିମିର ପଥୁରିଆ ରାସ୍ତାରେ ଏହି ଚାଉଳକୁ ବୋହି ବୋହି ନିଜ ବିଦ୍ୟାଳୟକୁ ନେଉଥିବା ପରିଲକ୍ଷିତ ହୋଇଛି। କେବଳ ଏହି ଜଣେ ଶିକ୍ଷକ ନୁହଁ , ଏଭଳି ଏହି ଅଞ୍ଚଳର ଅନେକ ଶିକ୍ଷକ ନିଜ କର୍ତ୍ତବ୍ୟ ସମ୍ପାଦନ ସହ ଶିକ୍ଷାର ଆଲୋକ ବିକିରଣ କରିବା ପାଇଁ ପ୍ରତିମାସରେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥାନ୍ତି।