ମାଲକାନଗିରି,ଏନ୍ଏନ୍ଏସ୍: କୋଭିଡ ମହାମାରୀ ନିୟମକୁ ଫୁ’ କରି ଆଜି ପୁଣି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳସ୍ଥିତ ପଣସପୁଟ୍ ଗ୍ରାମରେ ଅଣ୍ଡ୍ରାପାଲ୍ଲୀ, ଯନ୍ତ୍ରୀ , ପଣସପୁଟ୍ , ଯୋଡାମ୍ବ, ଗାଜଲମାମୁଡି ସମେତ ୬ ଟି ପଞ୍ଚାୟତର ପ୍ରାୟ ୨ ହଜାରରୁ ଉର୍ଦ୍ଧ ଜନସାଧାରଣ ନିଜର ମୌଳିକ ସମସ୍ୟାର ପାଇଁ ମେଳି କରିଥିଲେ। ହଜାର ହଜାର ଆଦିବାସୀ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ସରକାର ଓ ଜିଲ୍ଲା ପ୍ରଶାସନ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏଥିରେ ସରକାରଙ୍କ ଟାଳଟୁଳ ନିତିକୁ ତୀବ୍ର ସମାଲୋଚନା କରାଯାଇଥିଲା। ମୁଖ୍ୟତଃ ଦୈନିକ ମଜୁରି ୫୦୦ ଟଙ୍କା ପ୍ରଦାନ, ପ୍ରତ୍ୟେକ ପଞ୍ଚାୟତରେ ଥିବା ଶିକ୍ଷିତ ଯୁବକମାନଙ୍କୁ କର୍ମ ନିଯୁକ୍ତି ପ୍ରଦାନ, ଏମଜିଏନଆରଇଜିଏସ କାମରେ ପ୍ରତ୍ୟେକ ଲୋକଙ୍କୁ ୨୦୦ ଦିନ ହିସାବରେ କାମ ଯୋଗାଇଦେବା, ପ୍ରତ୍ୟେକ ପଞ୍ଚାୟତରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ସହ ଭେଣ୍ଟିଲେଟର ବ୍ୟବସ୍ଥା କରିବା ଓ ଡାକ୍ତର ନିଯୁକ୍ତି, ବ୍ୟାଙ୍କର ସୁବିଧା ନଥିବା ଯୋଗୁଁ ସପ୍ତାହକୁ ସପ୍ତାହ ନଗଦ ଟଙ୍କା ପ୍ରଦାନ, ବିଧବା ଭତ୍ତା ଓ ବିକଳାଙ୍ଗ ମାନଙ୍କୁ ମଧ୍ୟ ଭତ୍ତା ପ୍ରଦାନ କରିବା, ୫ କିଲୋଗ୍ରାମ ପରିବର୍ତ୍ତେ୧୦ କେଜି ଚାଉଳ ପ୍ରଦାନ କରିବା ଭଳି ଅନେକ ଦାବି କରିଛନ୍ତି। କିନ୍ତୁ ଦୀର୍ଘ ଦିନରୁ ସ୍ୱାଭିମାନ ଅଞ୍ଚଳବାସୀ ଏଭଳି ମେଳି କରି ମୌଳିକ ସମସ୍ୟା ସାମାଧାନ ପାଇଁ ଦାବି କରିଆସୁଛନ୍ତି। ତେବେ କୌଣସି ସୁଫଳ ମିଳୁ ନଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସ୍ୱାଭିମାନ ଅଞ୍ଚଳର ଏହି ସମସ୍ୟା ସମାଧାନ ନେଇ ସରକାର ତଥା ଜିଲ୍ଲା ପ୍ରଶାସନ ଦୁଷ୍ଟି ନ ଦେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।