ରାଜ୍ୟରେ ୩,୫୪୩ ନୂଆ କରୋନା ପଜିଟିଭ ଚିହ୍ନଟ: ୭ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ୩,୫୪୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨,୧୬୧ଜଣ ଓ ସ୍ଥାନୀୟ ସଂକ୍ରମଣ ୧,୩୮୨ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୨୦ ହଜାର ୨୨୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୮୭୮, ମୟୁରଭଞ୍ଜରୁ ୩୨୬, କଟକରୁ ୨୯୫, ବରଗଡ଼ରୁ ୨୭୪, ଯାଜପୁରରୁ ୨୦୬, ବାଲେଶ୍ୱରରୁ ୧୫୩, ଗଞ୍ଜାମରୁ ୧୦୨, ସୋନପୁର ଓ କୋରାପୁଟ ଜିଲ୍ଲାରୁ ୯୦ଜଣ ରହିଛନ୍ତି। ଖାସ୍ କଥାଟି ହେଲା, ଖୋର୍ଦ୍ଧାରେ ଦିନକୁଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଗଞ୍ଜାମରେ କମିବାକୁ ଲାଗିଛି।

ଅନ୍ୟପଟେ କରୋନା ଯୋଗୁ ୭ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ୨ଜଣ, ବଲାଙ୍ଗିର, କଟକ, ଗଞ୍ଜାମ, ମାଲକାନଗିରି ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୫୩୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ୪୮ହଜାର ୮ଟି କରୋନା ଟେଷ୍ଟ ହୋଇଥିବାବେଳେ ୧ଲକ୍ଷ ୨୦ ହଜାର ୨୨୧ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୯୦ ହଜାର ୩୩୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୫୩୮ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୨୯ ହଜାର ୨୯୯ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।