ଶ୍ରମ କାର୍ଯ୍ୟାଳୟ ଘେରାଉ କଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବିଭିନ୍ନ ଦାବିନେଇ ଆଜି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ଝାରସୁଗୁଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଏହି ଅବସରରେ ଶ୍ରମିକମାନଙ୍କ ପକ୍ଷରୁ କୁହାଯାଇଛି ଯେ, ଦେଶର ନବ ନିର୍ମାଣରେ ଶ୍ରମିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତୃଣମୂଳସ୍ତରରେ ସମସ୍ତ କାର୍ଯ୍ୟକୁ ନିର୍ମାଣ ଶ୍ରମିକମାନେ ତୁଳାଇ ଦେଶର ବିକାଶ ପାଇଁ ଦିନରାତି ପରିଶ୍ରମ କରୁଛନ୍ତି। ହେଲେ ଦେଶରେ ଏହି ଶ୍ରମିକମାନେ ଅବହେଳିତ ରହୁଛନ୍ତି। ସେମାନଙ୍କର ପଞ୍ଜିକରଣ ହୋଇପାରୁ ନଥିବାବେଳେ ସରକରାଙ୍କ ଠାରୁ ମିଳୁଥିବା ବିଭିନ୍ନ ସହାୟତା ସେମାନଙ୍କୁ ମିଳିପାରୁ ନାହିଁ। ଫଳରେ ସେମାନେ ଶୋଷଣର ଶିକାର ହେଉଛନ୍ତି। ତେଣୁ ଦେଶର ପ୍ରତ୍ୟେକ ଶ୍ରମିକଙ୍କର ପଞ୍ଜିକରଣ, ନବୀକରଣ, ସାଇକେଲ, ଶିକ୍ଷା, ସ୍ୱାସ୍ଥ୍ୟ ସାହାଯ୍ୟ ତଥା ମୃତ୍ୟୁ ଓ ଆହତ ଶ୍ରମିକଙ୍କୁ କ୍ଷତିପୂରଣ ପ୍ରଦାନ, କୋଭିଡ ସମୟରେ ୧୫ଶହ ଟଙ୍କା ଲେଖାଏଁ ସରକାରୀ ସହାୟତା ପାଇବାରୁ ବଞ୍ଚିତ ଥିବା ଶ୍ରମିକଙ୍କୁ ଏହି ଭତ୍ତା ପ୍ରଦାନ, ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ଶ୍ରମିକଙ୍କୁ ବାଧ୍ୟତାମୂଳକ ଭାବରେ ଶ୍ରମିକ କଲ୍ୟାଣ ପରିଷଦରେ ରେଜିଷ୍ଟ୍ରେସନ କରାଯାଉ, ନିର୍ମାଣ ଶ୍ରମିକ ପଞ୍ଜିକରଣ, ନବୀକରଣ ଓ ସହାୟତା ପ୍ରଦାନରେ ସରକାରୀ ଦଳର ମନ୍ତ୍ରୀ, ବିଧାୟକ, କର୍ମକର୍ତ୍ତାଙ୍କ ହସ୍ତକ୍ଷେପ ବନ୍ଦ କରାଯାଉ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଚାଲିଥିବା ମନମୁଖୀ କାରବାର ବନ୍ଦ କରି ସମସ୍ତ ଜିଲ୍ଲାରେ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ, ନବୀକରଣ ଓ ସହାୟତା ପ୍ରଦାନ ଅବିଳମ୍ବେ କରାଯାଉ, ଘରୋଇ ଶିକ୍ଷା ଅନୁଷ୍ଠାନରେ ପାଠ ପଢୁଥିବା ନିର୍ମାଣ ଶ୍ରମିକଙ୍କ ପିଲାଛୁଆଙ୍କୁ ଶିକ୍ଷା ସହାୟତା ପ୍ରଦାନ କରାଯାଉ। ଶ୍ରମିକଙ୍କ ସମସ୍ୟା ଦୂର ପାଇଁ ଖାଲି ପଡିଥିବା ଜିଲ୍ଲାଗୁଡିକରେ ଶ୍ରମ ଅଧିକାରୀଙ୍କୁ ତୁରନ୍ତ ନିଯୁକ୍ତି ପ୍ରଦାନ କରାଯାଉ। କେନ୍ଦ୍ର ସରାକରା ଲାଗୁ କରିଥିବା ୪ଟି ଲେବର କୋର୍ଡ ଓ ୩ଟି କୃଷି ଆଇନକୁ ପତ୍ୟାହାର କରାଯାଉ ବୋଲି ଝାରସୁଗୁଡା ଜିଲ୍ଲା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏହି ଅବସରରେ କଂଗ୍ରେସର ବରିଷ୍ଠ ନେତା ମହେନ୍ଦ୍ର ନାଏକ, ଅରୁଣ ସିଂ ସିଦାର, ପ୍ରଶାନ୍ତ ତ୍ରିପାଠୀ, କୃଷ୍ଣଚନ୍ଦ୍ର ଭୋଇ, ସାରଙ୍ଗଧର ମିଶ୍ର ପ୍ରମୁଖଙ୍କସହ ରାଷ୍ଟ୍ରୀୟ ମଜଦୂର ସଙ୍ଘର ବହୁ ସଦସ୍ୟ ଉପସ୍ଥିତ ଥିଲେ।