ଭୁଶୁଡ଼ିଲା ଅପର୍ କୋଲାବର ମୁଖ୍ୟ କେନାଲ, ଏକର ଏକର ଚାଷ ଜମି ଜଳମଗ୍ନ

ଜୟପୁର,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ଜୟପୁର ସହର ଉପକଣ୍ଠ ଏକତାଗୁଡ଼ା ଦେଇ ଯାଇଥିବା ଅପର୍ କୋଲାବ ମୁଖ୍ୟ କେନାଲ ବନ୍ଧ ଗତ ରାତିରେ ଭୁଶୁଡ଼ି ଯାଇଛି। ଫଳରେ ଚାଷ ଜମିକୁ ପାଣି ମାଡ଼ିବାରେ ଲାଗିଛି। ଗତକାଲି ରାତିରେ ଏହି ଅଘଟଣ ଘଟିଛି।

ସୂଚନାଯୋଗ୍ୟ ଯେ, ଅପର୍ କୋଲାବ ମୁଖ୍ୟ କେନାଲ ୫୦ରୁ ୬୦ ମିଟର୍ ବନ୍ଧ ଭୁଶୁଡ଼ି ଯିବାରୁ ଏକତାଗୁଡ଼ା ଅଞ୍ଚଳରେ ପାଣି ପଶିଯାଇଛି। ନିକଟରେ ଥିବା ଏକର ଏକର ଚାଷ ଜମିକୁ ପାଣି ମାଡ଼ିବାରେ ଲାଗିଛି। ଫଳରେ ଅଞ୍ଚଳବାସୀ ଗତକାଲି ରାତି ସାରା ଭୟରେ କାଟିଛନ୍ତି। ତେବେ ସୌଭାଗ୍ୟବଶତଃ କେନାଲର ପାଣି ଜନବସତି ଦିଗକୁ ମାଡ଼ି ନାହିଁ।

ଘଟଣାସ୍ଥଳରେ ଗତକାଲି ରାତିରେ ଜୟପୁର ବିଧାୟକ ପହଞ୍ଚିଥିଲେ। ଏହାପରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେହି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନ ଥିଲେ। ପ୍ରାୟ ୩ରୁ ୪ ଘଣ୍ଟା ଧରି କେନାଲ ପାଣି ଚାଷ ଜମିରେ ମାଡିଥିଲା। ଏଥିଯୋଗୁ ଏକର ଏକର ଚାଷ ଜମି ଜଳମଗ୍ନ ରହିଛି। ତେବେ କିପରି ବନ୍ଧ ଭାଙ୍ଗିଲା ତାହାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିବା ବେଳେ ଏହା କୃତ୍ରିମ ଉପାୟରେ ବନ୍ଦ ଭାଙ୍ଗିଥିବା କୁହାଯାଉଛି।