ନବବିବାହିତା ଦମ୍ପତିଙ୍କୁ ଅପହରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା କୋମନା ଥାନା ରେଙ୍ଗା ଗାଁର ନବ ବିବାହିତା ଦମ୍ପତିଙ୍କୁ ଅପହରଣ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ସଦର ଥାନା ପୁଲିସ ଗିରଫ କରିଛି। ଏହାପରେ ଘଟଣା ଭିନ୍ନ ମୋଡ଼ ନେଇଛି। ଏହା ଅପହରଣ ନଥିଲା, ବରଂ ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ଅପହରଣ ଷଡ଼ଯନ୍ତ୍ର ରଚା ଯାଇଥିବା ପୁଲିସ କହିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଜୋଙ୍କ ଥାନା ପରକୋଡ଼ ଗାଁ’ର ହୋମେଶ ଦଣ୍ଡସେନା(୨୨)। ଗୁରୁବାର ସନ୍ଧ୍ୟାରେ ଅଭିଯୁକ୍ତ ହୋମେଶକୁ କୋର୍ଟ ଚାଲାଣ କରିଥିବା ପୁଲିସ ସୂଚନା ଦେଇଛି।

ପୁଲିସର ସୂଚନା ଅନୁସାରେ ଫେବୃଆରୀ ୧୬ ତାରିଖରେ ରେଙ୍ଗା ଗାଁର ରମେଶ ରଣା(୨୫)ଙ୍କ ବିବାହ ସମ୍ପନ୍ନ ହୋଇଥିଲା। ୨୧ ତାରିଖରେ ତାଙ୍କ ସ୍ତ୍ରୀ ସ୍ୱାସ୍ଥ୍ୟବସ୍ଥା ଠିକ ନାହିଁ ଓ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବାକୁ ରମେଶଙ୍କୁ କହିଥିଲେ। ସ୍ୱାମୀ- ସ୍ତ୍ରୀ ଏକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ସେଠାରେ ସ୍ତ୍ରୀ ଖରିଆର ରୋଡରେ ଚିକିତ୍ସା କରିବାକୁ କହିବାରୁ ଉଭୟ ଖରିଆରରୋଡ ଅଭିମୁଖେ ଯାଇଥିଲେ। ସିଲ୍‌ଦା ଛକ ନିକଟରେ ପରକୋଡ ଗାଁର ହୋମେଶ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଅଟକାଇ ଲିଫ୍ଟ ମାଗିଥିଲେ। ସେଠାରେ ତାଙ୍କୁ କଥାରେ ଫସାଇ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା କୋମାଖାନକୁ ନେଇ ଯାଇଥିଲା। ସେଠାରୁ ରାୟପୁର, ଦୁର୍ଗ ଓ ନାଗପୁରକୁ ନେଇ ଯାଇଥିଲେ।

ସେଠାରେ ହୋମେଶର କିଛି ସାଙ୍ଗ ଆସି ରମେଶଙ୍କୁ ମାଡ଼ ମାରିବା ସହ ତାଙ୍କୁ ଅପହରଣ କରି ନେଇଥିଲେ। ରମେଶ ବହୁ କଷ୍ଟରେ ଜୀବନ ବଞ୍ଚାଇ ଫେରାର ହୋଇଯାଇଥିଲେ। ରାତିରେ ନାଗପୁରାର ଏକ ପେଟ୍ରୋଲ ପମ୍ପରେ ଆଶ୍ରୟ ନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ୨୩ ତାରିଖ ତାଙ୍କୁ ସେଠାରୁ ଉଦ୍ଧାର କରି ଆଣି ନୂଆପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାର ୨ ଦିନ ପରେ ତାଙ୍କ ସ୍ତ୍ରୀଙ୍କୁ ପୁଲିସ ଉଦ୍ଧାର କରି କୋମନା ଆଣିଥିଲା। ହେଲେ ସ୍ତ୍ରୀ କିଛି ନ କହିବାରୁ ତାଙ୍କୁ କୋମନା ସୁଧାର ଗୃହରେ ରଖିଥିଲେ। ଏବେ ସେ ସେଠାରୁ ମଧ୍ୟ ଫେରାର ଅଛନ୍ତି।

ଏନେଇ ସଦର ଥାନାରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଆଜି ସକାଳେ ସଦର ପୁଲିସ ଖରିଆରରୋଡ ସହରରେ ଚଢ଼ଉ କରି ଘଟଣାର ମୁଖ୍ୟ ଅଭିଯୁକ୍ତ ହୋମେଶଙ୍କୁ ଗିରଫ କରିଥିଲା। ପରେ ତାକୁ କୋର୍ଟ ଚାଲାଣ କରାଯାଇଥିଲା ଏବଂ ସେଠାରେ ତା’ର ଜାମିନ ନା ମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୂର୍ବରୁ ଅଭିଯୁକ୍ତ ହୋମେଶ ଓ ମହିଳାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା।