୨୦୨୩ ପୂର୍ବରୁ  ବିଦେଶୀ ପର୍ଯ୍ୟଟକ କରିବେନି ଭାରତ ଯାତ୍ରା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏବେ କରୋନା ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି। କିନ୍ତୁ ଏବେ ବି ଲୋକଙ୍କ ମନରେ ବିଦେଶ ଯାତ୍ରା ନେଇ ଡର ରହିଛି। ବିଦେଶୀ ପର୍ଯ୍ୟଟକ କ୍ୱାରେଣ୍ଟାଇନ ନିୟମ ଯୋଗୁ ଭାରତ ଭ୍ରମଣ କରିବାକୁ କୁଣ୍ଠାବୋଧ କରୁଛନ୍ତି। ଏମିତିରେ ୨୦୨୩ ପୂର୍ବରୁ  ବିଦେଶୀ ପର୍ଯ୍ୟଟକଙ୍କ ଭାରତ ଆଗମନ ସୂଚାରୁ ରୂପେ ହୋଇପାରିବ ନାହିଁ। ସେଣ୍ଟର ଫର ଏସିଆ ପେସିଫିକ ଏଭିଏସନ(ସିଏପିଏ) ମଧ୍ୟ ନିଜେ ରିପୋର୍ଟରେ ଦର୍ଶାଇଛି କି, କ୍ୱାରେଣ୍ଟାଇନ ନିୟମ ଲାଗି ଅଧିକାଂଶ ପର୍ଯ୍ୟଟକ ଭ୍ରମଣ କରିବାକୁ ଚାହୁଁ ନାହାନ୍ତି।

ସିଏପିଏ କହିଛି ଯେ, ୟୁକେ, ୟୁଏସ୍, କାନାଡା, ଚୀନ, ମାଲେସିଆ ଓ ଅଷ୍ଟ୍ରେଲିଆରେ କରୋନା ସଂକ୍ରମଣ ଚରମ ସୀମାରେ ପହଞ୍ଚିଛି। ଆଉ ଉପରୋକ୍ତ ଦେଶରୁ ସବୁଠୁ ଅଧିକ ପର୍ଯ୍ୟଟକ ଭାରତ ଆସିଥାନ୍ତି । ଅର୍ଥାତ୍ ଏହି ଦେଶ ଭାରତ ଲାଗି ବିଦେଶୀ ପର୍ଯ୍ୟଟକଙ୍କ ପ୍ରମୁଖ ସ୍ରୋତ। କରୋନା ଟିକାକରଣ ୟୁକେରେ ୩୪.୩ ପ୍ରତିଶତ ଓ ୟୁଏସରେ ୧୯.୭ ପ୍ରତିଶତ ଛାଡ଼ି ଅନ୍ୟ ଦେଶରେ ଟିକାକରଣ ପ୍ରଥମ ପର୍ଯ୍ୟାୟରେ ଚାଲିଛି। ୨୦୨୧ ଶେଷ ସୁଦ୍ଧା ଅନ୍ୟ ଦେଶରେ ବ୍ୟାପକ ଟିକାକରଣ ହେବ ବୋଲି ଆଶା କରାଯାଉଛି।