ନୂଆଦିଲ୍ଲୀ,ଏଜେନ୍ସି: ପାଦ ନାହିଁ, ହାତ ବି ନାହିଁ, ହେଲେ ରାସ୍ତାରେ ସେ ବିନା କାହାରି ସହାୟତାରେ ରିକ୍ସା ଚଳାଉଛନ୍ତି। ସାମାଜିକ ଗଣମାଧ୍ୟମରେ ଏପରି ଏକ ଭିଡିଓ ଦେଖି ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଗ୍ରୁପ୍ର ଅଧ୍ୟକ୍ଷ ଏହି ଭିଡିଓକୁ ନିଜ ଟ୍ୱିଟର୍ ଆକାଉଣ୍ଟ୍ରେ ଶେୟାର୍ କରିବା ସହିତ ମହିନ୍ଦ୍ରା ଗ୍ରୁପ୍ର ସହଯୋଗୀ ମହିନ୍ଦ୍ରା ଲଜିଷ୍ଟିକ୍କୁ ଟ୍ୟାଗ୍ କରି ଏହି ବ୍ୟକ୍ତିଙ୍କୁ ମହିନ୍ଦ୍ରା ଲଜିଷ୍ଟିକ୍ରେ ନିଯୁକ୍ତି ଦିଆଯାଇ ପାରିବ କି ବୋଲି ପ୍ରଶ୍ନ କରିଛନ୍ତି। ଜଣା ନାହିଁ ଭିଡିଓ କେତେ ପୁରୁଣା, କିଏ ଏହି ବ୍ୟକ୍ତି, କିନ୍ତୁ ଏହା ଆଶ୍ଚର୍ଯ୍ୟଜନକ ନିଶ୍ଚୟ। ତାଙ୍କ ହିମ୍ମତ୍କୁ ସଲାମ୍। ସେ ନିଜର ଅକ୍ଷମତାକୁ ନା କେବଳ ସାମ୍ନା କରିଛନ୍ତି, ବରଂ ତାଙ୍କ ନିକଟରେ ଯାହା କିଛି ଅଛି ତା’ର ସଦୁପଯୋଗ କରୁଛନ୍ତି ବୋଲି ଟ୍ୱିଟ୍ କରିଛନ୍ତି ମହିନ୍ଦ୍ରା।
ସୂଚନାଯୋଗ୍ୟ ଯେ ଆଜି ଏହି ଭିଡିଓକୁ ଶେୟାର୍ କରାଯାଇଥିବା ବେଳେ ଏଯାବତ୍ ଭିଡିଓକୁ ୧.୧୧ ଲକ୍ଷ ଥର ଦେଖାଯାଇଛି ଓ ୧,୬୩୨ ଜଣ ବ୍ୟବହାରକାରୀ ରିଟ୍ୱିଟ୍ କରିଛନ୍ତି। ୧୦ ହଜାରରୁ ଊର୍ଦ୍ଧ୍ୱ ବ୍ୟବହାରକାରୀ ଏହାକୁ ଲାଇକ୍ କରିଛନ୍ତି। ଭିଡିଓରେ ଜଣେ ଦିବ୍ୟାଙ୍ଗଜନ ବ୍ୟକ୍ତି ନିଦ୍ୱର୍ନ୍ଦରେ ବିନା ହାତ-ପାଦରେ ସ୍କୁଟର୍ ଇଞ୍ଜିନ୍ ଲାଗିଥିବା ଏକ ମୋଡିଫାଏଡ୍ ରିକ୍ସା ଦିଲ୍ଲୀ ରାଜରାସ୍ତାରେ ଚଳାଉଛନ୍ତି। ଖବର ଅନୁସାରେ ସେ ଦୀର୍ଘ ୫ ବର୍ଷ ଧରି ଦିଲ୍ଲୀରେ ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରୁଛନ୍ତି।