ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସାଧୁଙ୍କୁ ଲଗାତାର ଭାବେ ଟାର୍ଗେଟ କରାଯାଉଛି। ପାଲଘରରେ ଦୁଇ ଜଣ ସାଧୁଙ୍କ ହତ୍ୟା ମାମଲା ଥଣ୍ଡା ହୋଇନଥିବାବେଳେ ଆଉ ଜଣେ ସାଧୁଙ୍କୁ ହତ୍ୟା କରାଯାଇଛି। ମହାରାଷ୍ଟ୍ରର ନାନ୍ଦେଡ଼ସ୍ଥିତ ତାଲୁକାର ନାଗଠାନାରେ ବାଳ ବ୍ରହ୍ମଚାରୀ ସାଧୁ ଶିବାଚାର୍ଯ୍ୟଙ୍କ ହତ୍ୟା ମାମଲା ସାମ୍ନାକୁ ଆସିଛି। ପୁଲିସ ଏହି ହତ୍ୟା ମାମଲାରେ ସାଇନାଥ ସିଙ୍ଗାଡ଼େ ନାମକ ବ୍ୟକ୍ତିକୁ ତେଲେଙ୍ଗାନାରୁ ଧରିଛି।
ପୁଲିସର କହିବା ମୁତାବକ, ସାଧୁଙ୍କ ଉପରେ ଲଙ୍କାଗୁଣ୍ଡ ପକାଇ ତଣ୍ଟି ଚିପି ହତ୍ୟା କରାଯାଇଛି। ହତ୍ୟା ପରେ ଅଭିଯୁକ୍ତ ଜଣକ ସାଧୁଙ୍କ ଶବକୁ ତାଙ୍କ କାରର ଡିକିରେ ରଖି ପଳାୟନ କରିବାକୁ ଚେଷ୍ଟା କରୁଥିଲା। କିନ୍ତୁ କାରଟି ମଠ ଫାଟକରେ ଫସିଯିବାରୁ ଅଭିଯୁକ୍ତ ସେଠାରେ ଥିବା ଏକ ବାଇକ ଚୋରାଇ ଫେରାର ହୋଇଯାଇଥିଲା। ପୁଲିସ ସେହି କାରରୁ ଲ୍ୟାପଟପ ସହ ୬୫ ହଜାର ଟଙ୍କା ଜବତ କରିଛି। ଅଭିଯୁକ୍ତ ଶବ ନେଇ କ’ଣ ପାଇଁ ଖସି ଯାଉଥିଲା ସେନେଇ ଯାଞ୍ଚ ଜାରି ରହଛି। ଅନ୍ୟପଟେ ପ୍ରାଥମିକ ପଚରାଉଚରା ସମୟରେ ଲୁଟ ଉଦ୍ଦେଶ୍ୟରେ ଏପରି କାଣ୍ଡ ଭିଆଇଥିବା ଅଭିଯୁକ୍ତ ବୟାନ ଦେଇଛି।
ଏହି ଘଟଣା ପରେ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ଦୁଇ ମାସ ମଧ୍ୟରେ ଦୁଇ ଜଣ ସାଧୁଙ୍କ ହତ୍ୟା ହୋଇଥିବା ଯୋଗୁ ବିଜେପି ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଛି। ବିଜେପି ନେତା ରାମ କଦମ ସାଧୁଙ୍କ ହତ୍ୟା ଉପରେ ପ୍ରଶ୍ନ ଉଠାଇବା ସହ ରାଜ୍ୟରେ ଆଇନ ବ୍ୟବସ୍ଥା ଦିନକୁଦିନ ବିପର୍ଯ୍ୟସ୍ତ ହେଉଛି ବୋଲି କହିଛନ୍ତି। ତେଣୁ ସରକାର ଘଟଣାର ତଦନ୍ତ କରି ଯଥାଶୀଘ୍ର ଦୋଷୀଙ୍କୁ ଦଣ୍ଡ ଦିଅନ୍ତୁ। ଅନ୍ୟପଟେ କଂଗ୍ରେସ ନେତା ଚରନଜୀତ ସପ୍ରା ସାଧୁଙ୍କ ହତ୍ୟାକୁ ନିନ୍ଦା କରିବା ସହ ମାମଲଟି ଚୋରି କିମ୍ବା ପାରସ୍ପରିକ ମତଭେଦ ଯୋଗୁ ହୋଇଥାଇପାରେ ବୋଲି କହିଛନ୍ତି।