ମହାରାଷ୍ଟ୍ରରେ ୧୦ ମନ୍ତ୍ରୀ, ୨୦ ବିଧାୟକ କୋରୋନା ପଜିଟିଭ ଚିହ୍ନଟ

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରରେ ଓପରମୁହାଁ କୋରୋନା ଗ୍ରାଫ। କିଛି ସମୟ ବ୍ୟବଧାନ ପରେ ପୁଣି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ଏକାବେଳେ ୧୦ ମନ୍ତ୍ରୀ ଓ ୨୦ ଜଣ ବିଧାୟକ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ କୋରୋନା କଟକଣାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଶନିବାର କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର।

ଗୁରୁବାରଠାରୁ ଶୁକ୍ରବାର ୫୦ ପ୍ରତିଶତ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଏ ନେଇ ପାୱାର କହିଛନ୍ତି ଯେ, “ରାଜ୍ୟରେ ୧୦ ମନ୍ତ୍ରୀ, ୨୦ ଜଣ ବିଧାୟକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାରି ମଧ୍ୟରେ ସମସ୍ତେ ନୂଆବର୍ଷ, ଜନ୍ମଦିନ ଓ ଅନ୍ୟାନ୍ୟ ଉତ୍ସବ ପାଳନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ତେବେ ଏକଥା ମନରେ ରଖିବା ଉଚିତ ଯେ ଓମିକ୍ରନ ଭାରିଏଣ୍ଟ କ୍ଷୀପ୍ର ଗତିରେ ସଂକ୍ରମିତ ହେଉଛି। ଏଥିଲାଗି ସତର୍କତା ଆବଶ୍ୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ସ୍ଥାନରେ ନାଇଟ କର୍ଫ୍ୟୁ ଜାରି କରିଛନ୍ତି। ମହାରାଷ୍ଟ୍ରରେ ମୁମ୍ବାଇ ଓ ପୁଣେରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି।”

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଲେ କୋରୋନାର ଦୃଢ କଟକଣା ଲାଗୁ କରାଯିବ। ଏହି କଡା କଟକଣାକୁ ଏଡ଼ାଇବା ପାଇଁ ସମସ୍ତେ କୋଭିଡ଼ ନିୟମ ପାଳନ କରିବାକୁ ସେ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି। ମହାରାଷ୍ଟ୍ରରେ ୨୦୨୧ର ଶେଷ ୧୨ ଦିନ ମଧ୍ୟରେ ସଂକ୍ରମଣ ଅଧିକ ବ୍ୟାପିଛି। ତେବେ ସୂଚନା ଥାଉ କି ଗତ ଶୁକ୍ରବାର ରାଜ୍ୟରେ ୫୬୩୧ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗୁରୁବାରଠାରୁ ପ୍ରାୟ ୨୦୦୦ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।