୧୦ହଜାର କୋଟିର ଆର୍ଥିକ ପ୍ୟାକେଜ୍ ଘୋଷଣା କଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ,ଏଜେନ୍ସି: ବନ୍ୟା ପ୍ରଭାବିତ ଅଞ୍ଚଳ ଉଦ୍ଦେଶ୍ୟରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ୧୦ହଜାର କୋଟିର ଆର୍ଥିକ ପ୍ୟାକେଜ୍ ଘୋଷଣା କରାଯାଇଛି । ଏହି ରାଶିରୁ ବନ୍ୟା ପ୍ରପୀଡ଼ିତ ଚାଷୀଙ୍କ ଉଦ୍ଦେଶ୍ୟରେ ୫୫୦କୋଟି ଟଙ୍କା ଘୋଷଣା କରାଯାଇଛି । ବନ୍ୟାରେ ନଷ୍ଟ ହୋଇଥିବା ପ୍ରତି ହେକ୍ଟର ଫସଲ ପାଇଁ ୧୦ହଜାର ଟଙ୍କାର କ୍ଷତିପୂରଣ ରାଶି ଦିଆଯିବ । ଏହାଛଡ଼ା ବନ୍ୟାରେ ନଷ୍ଟ ହୋଇଥିବା ପ୍ରତି ଏକର ଫଳ ବଗିଚା ପ୍ରତି ୨୫ହଜାର ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ଦିପାବଳୀ ପୂର୍ବରୁ ଏହି ଅର୍ଥରାଶି ବନ୍ୟା ପୀଡ଼ିତ ଚାଷୀଙ୍କ ମଧ୍ୟରେ ବିତରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବନ୍ୟା ପ୍ରଭାବିତ ଲୋକଙ୍କ ସହାୟତା କରିବା ସରକାରଙ୍କ କର୍ତ୍ତବ୍ୟ । ସମୀକ୍ଷା ବୈଠକ ପରେ ଏହି ଆର୍ଥିକ ପ୍ୟାକେଜ୍ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ, ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ବନ୍ୟା କାରଣରୁ ୧୦ଲକ୍ଷ ହେକ୍ଟର ଜମିର ଫସଲ ନଷ୍ଟ ହୋଇଛି । ଫଳରେ ଚାଷୀ ଅନେକ କ୍ଷତିର ସାମ୍ନା କରିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏବଂ ମନ୍ତ୍ରୀ ରାମଦାସ ଅଠାୱାଲେ ବନ୍ୟା କ୍ଷତିଗ୍ରସ୍ତ ବୁଲି ଦେଖିବା ସହ ସମୀକ୍ଷା କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଏହାଛଡ଼ା ରାସ୍ତା ମରାମତି ପାଇଁ ୨ହଜାର ୬୩୫କୋଟି, ନଗର ବିକାଶ ପାଇଁ ୩୦୦କୋଟି, ଶକ୍ତି କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତି ପାଇଁ ୨୩୯କୋଟି, ଜଳସେଚନ ପ୍ରକଳ୍ପ ପାଇଁ ୧୦୨କୋଟି, ଗ୍ରାମୀଣ ସଡ଼କ ଏବଂ ପାନୀୟ ଜଳ ପାଇଁ ୧ହଜାର କୋଟି ଟଙ୍କା ଘୋଷଣା କରାଯାଇଛି ।