ମସ୍କୋ,ଏଜେନ୍ସି: ୧୦୦ ଜଣ ଭାରତୀୟ ସ୍ୱେଚ୍ଛାସେବୀଙ୍କ ଶରୀରରେ ରୁଷିଆର କୋଭିଡ୍ ଟିକା ‘ସ୍ପୁଟନିକ୍-୫’ ପରୀକ୍ଷା କରାଯିବ ବୋଲି ‘ଇଣ୍ଡିଆନ ସେଣ୍ଟ୍ରାଲ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନର ଡ୍ରଗ କଣ୍ଟ୍ରୋଲ ଜେନେରାଲ (ଡିସିଜିଆଇ) କହିଛନ୍ତି । ଟିକା ପରୀକ୍ଷା କରାଇବା ନିମନ୍ତେ ଡିସିଜିଆଇ ଡକ୍ଟର ରେଡି’ସ୍ ଲାବ୍ରୋଟରିଜ୍କୁ ଅନୁମତି ଦେଇଛନ୍ତି । କିନ୍ତୁ ପରୀକ୍ଷା ତାରିଖ ଓ ସମୟ କମ୍ପାନୀ ସ୍ଥିର କରିବ । ତୃତୀୟ ପର୍ଯ୍ୟାୟ ପରୀକ୍ଷା ଲାଗି ବ୍ୟବସ୍ଥା କରିବା ପୂର୍ବରୁ ଟିକାର ଦ୍ୱିତୀୟ ପର୍ଯ୍ୟାୟ ନିଦାନ ପରୀକ୍ଷା କରାଯିବ ବୋଲି ଏହି ଲାବ୍ରୋଟରିଜ୍ ପକ୍ଷରୁ କୁହାଯାଇଛି ।
ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରେ ୧୦୦ ଜଣ ଓ ତୃତୀୟ ପର୍ଯ୍ୟାୟରେ ପରୀକ୍ଷାରେ ୧୪୦୦ ଜଣ ସ୍ୱେଚ୍ଛାସେବୀଙ୍କୁ ସ୍ପୁଟନିକ୍-୫ ଟିକା ଦିଆଯିବ ବୋଲି ଡକ୍ଟର ରେଡି’ସ୍ ଲାବ୍ରୋଟରିଜ୍ ପକ୍ଷରୁ କୁହାଯାଇଛି । ପ୍ରାରମ୍ଭିକ ପରୀକ୍ଷାରେ ସମସ୍ୟା ସୃଷ୍ଟି ହେବା କାରଣରୁ ଦ୍ୱିତୀୟ ପରୀକ୍ଷା ନିମନ୍ତେ ଡକ୍ଟର ରେଡି’ସ୍ ଲାବ୍ରଟରିଜ୍ ସଂଶୋଧିତ ପ୍ରୋଟକଲ୍ ଆଣିଛି । ମିଳିତ ଭାବେ ସ୍ପୁଟନିକ୍-୫ର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବୀୟ ନିଦାନ ପରୀକ୍ଷା କରାଇବାକୁ ହାଇଦ୍ରାବାଦର ଡକ୍ଟର ରେଡି’ସ୍ ଲାବ୍ରଟରିଜ୍ ଅକ୍ଟୋବର ୧୩ ତାରିଖ ଦିନ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆକୁ (ଡିସିଜିଆଇ) ପୁନର୍ବାର ଆବେଦନ କରିଥିଲା ।