କେଦାରନାଥ ପରେ ଖୋଲିଲା ବଦ୍ରୀନାଥ

ନୂଆଦିଲ୍ଲୀ,ଏଜେନ୍ସି: ବିଶ୍ୱ ପ୍ରସିଦ୍ଧ କେଦାରନାଥ ମନ୍ଦିର ଖୋଲିବାର ଗୋଟିଏ ଦିନ ପରେ ମଙ୍ଗଳବାର ଦେଶର ଅନ୍ୟତମ ଲୋକପ୍ରିୟ ଧାର୍ମିକ ସ୍ଥଳୀ ବଦ୍ରୀନାଥରେ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି। ବଦ୍ରୀନାଥର ସୀମିତ ପୂଜକଙ୍କୁ ନେଇ ମନ୍ଦିର ଖୋଲାଯାଇଥିଲା। ଆଜି ପୂର୍ବାହ୍ଣ ୪ଟା ୧୫ରେ ମନ୍ଦିରର କବାଟ ଖୋଲିଥିଲା। କରୋନା କଟକଣା ମଧ୍ୟରେ ମନ୍ଦିର ଖୋଲିଥିବାରୁ ସାଧାରଣ ଭକ୍ତଙ୍କ ଦର୍ଶନକୁ ବାରଣ କରାଯାଇଛି।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ କହିଛନ୍ତି, ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଆମ ପାଇଁ ପ୍ରାଥମିକତା। ଭଗବାନ ବଦ୍ରୀନାଥଙ୍କ ଠାରେ ମୁଁ ପ୍ରାର୍ଥନା କରୁଛି, ସମସ୍ତେ ସୁସ୍ଥ ରୁହନ୍ତୁ। କରୋନା ଯୋଗୁଁ ୪ ଧାମ ଯାତ୍ରା ବନ୍ଦ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, କୋଭିଡ କଟକଣା ମଧ୍ୟରେ ସୋମବାର ପବିତ୍ର କେଦାରନାଥଙ୍କ କବାଟ ଖୋଲିଥିଲା। ବାବା କେଦରାଙ୍କ ପଞ୍ଚମୁଖୀ ଚଳନ୍ତି ପ୍ରତିମା ସୁସଜ୍ଜିତ ବିମାନରେ ଶୀତକାଳୀନ ଗଦୀସ୍ଥଳ ଓମକାରେଶ୍ୱର ମନ୍ଦିର ଉଖୀମଠାରୁ କେଦାରନାଥ ଧାମକୁ ନିଆଯିବା ପରେ ରବିବାର ଏହା କେଦାରନାଥରେ ପହଞ୍ଚିଥିଲା।

କରୋନାକୁ ଦୃଷ୍ଟିରେ ରଖି ବାବା କେଦାରଙ୍କ ବିମାନକୁ ଗୌରୀକୁଣ୍ଡ ଯାଏଁ ନିଆଯାଇଥିଲା। ବିମାନ ସହିତ ଦେବ ସ୍ଥାନମ ବୋର୍ଡର କିଛି କର୍ମଚାରୀ, ବେଦପାଠୀ ଏବଂ ପୂଜାରୀ ଉପସ୍ଥିତ ଥିଲେ। କରୋନା ସଂକଟ ଯୋଗୁଁ ଚଳିତ ଥର କେଦାରନାଥ ଧାମର ଯାତ୍ରାକୁ ସୀମିତ କରି ଦିଆଯାଇଛି। କେଦାରନାଥ ଧାମର ଆଖପାଖ ଅଞ୍ଚଳରେ ଗହଳି ଦେଖାଯାଉ ନାହିଁ। କେଦାରନାଥ ଧାମକୁ ଖୋଲିବା ପୂର୍ବରୁ ବାବାଙ୍କ କବାଟକୁ ଫୁଲରେ ସଜାଯାଇଛି। ମହାମାରୀର ପ୍ରକୋପ ବଢ଼ିଥିବାରୁ ବର୍ତ୍ତମାନ ପରିପ୍ରେକ୍ଷୀରେ କୌଣସି ତୀର୍ଥଯାତ୍ରୀଙ୍କୁ କେଦାରନାଥଙ୍କ ଅନୁମତି ଦିଆଯାଇ ନାହିଁ।