ବାଲିଗୁଡ଼ା,ଏନ୍ଏନ୍ଏସ୍: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହେଉଛି । ମନରେଗା ଯୋଜନାରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ସରକାରୀ ନିୟମାନୁଯାୟୀ ଏଠି ଶ୍ରମିକ କାମ କରିବା କଥା କିନ୍ତୁ ଜେସିବି ମେସିନ୍ କାମ କରୁଛି । ଅନ୍ୟପଟେ କାର୍ଯ୍ୟ ଆରମ୍ଭ ପୂର୍ବରୁ ସମ୍ପୃକ୍ତ ସ୍ଥାନରେ ସୂଚନା ଫଳକ ଲାଗିବା କଥା କିନ୍ତୁ ସେଥିରେ ମଧ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏପରିି ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ବାରଖମା ଅଞ୍ଚଳରେ ଦେଖିବାକୁ ମିଳିଛି ।
ମିଳିଥିବା ରିପୋର୍ଟ ମୁତାବକ, ବାଲିଗୁଡ଼ା ବ୍ଲକରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ସଂସ୍ଥା ଦ୍ୱାରା ବାରଖମା ଅଞ୍ଚଳର ୧୦ ଜଣ ହିତାଧିକାରୀଙ୍କ ନାମରେ ପୋଖରୀ ପୁନରୁଦ୍ଧାର କାର୍ଯ୍ୟାଦେଶ ହୋଇଥିଲା । କିନ୍ତୁ ଏହି କାର୍ଯ୍ୟାଦେଶ ନାମକୁ ମାତ୍ର ହୋଇ ରହିଯାଇଛି । ଏଠାରେ ହିତାଧିକାରୀଙ୍କ ବଦଳରେ ଠିକାଦାର କାମ କରୁଛନ୍ତି ତାହା ପୁଣି ଜେସିବି ମେସିନ ଦ୍ୱାରା । ଘଟଣା ସମ୍ପର୍କରେ ବାଲିଗୁଡ଼ା ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ସନ୍ତୋଷଜନକ ଉତ୍ତର ନଦେଇ ଓଲଟି ଘଟଣାକୁ ଘଣ୍ଟ ଘୋଡ଼ାଇଥିଲେ । ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକାରେ ଶ୍ରମିକ ହତାଶ ହୋଇଥିବାବେଳେ ଜନତା ଏହାକୁ ତୀବ୍ର ବିରୋଧ କରିଛନ୍ତି । କାର୍ଯ୍ୟାଦେଶ ନାକଚ କରିବା ସହ ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ ବୁଦ୍ଧିଜୀବୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।