ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ପୁଣି ବିରୋଧ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ନିର୍ମାଣ କାମ ଗତ ୨ ବର୍ଷରୁ ଉର୍ଦ୍ଧ ସମୟ ହେଲା ବନ୍ଦ ରହିଛି। ତେବେ ଇତି ମଧ୍ୟରେ ନିର୍ମାଣ କାମ ପୂର୍ନବାର ଆରମ୍ଭ କରିବା ପାଇଁ ସରକାର ତତ୍ପରତା ପ୍ରକାଶ କରିଛନ୍ତି। କିନ୍ତୁ ସରକାରଙ୍କ ନିଷ୍ପତ୍ତିକୁ ବିସ୍ଥାପତିମାନେ ତୀବ୍ର ବିରୋଧ କରିଛନ୍ତି। ୨୦୧୩ ଆଇନ ଅନୁଯାୟୀ ଏକକାଳୀନ ବିସ୍ଥାପିତମାନଙ୍କୁ ସମସ୍ତ ପ୍ରକାର କ୍ଷତିପୂରଣ ପ୍ରଦାନ କଲାପରେ ଯାଇ କାମ ଆରମ୍ଭ ହୋଇପାରିବ ବୋଲି ବୁଡି ଅଞ୍ଚଳ ଅଗ୍ରଗାମୀ ସଂଘ ତରଫରୁ ବଲାଙ୍ଗିର ଯାଦବ ଭବନ ଠାରେ ଆଜି ଅନୁଷ୍ଠିତ ହୋଇଥିବା ଏକ ସାଂବାଦିକ ସମ୍ମିଳନୀରେ କୁହାଯାଇଛି।

ସଂଘର ସଭାପତି ଉପେନ୍ଦ୍ର ସାହୁ କହିଛନ୍ତି ଯେ , ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପର ସମସ୍ତ ଗ୍ରାମର ବିସ୍ଥାପିତଙ୍କୁ ଗୋଟାଏ ପ୍ରକଳ୍ପ ଓ ଗୋଟାଏ ଆଇନ ଅନୁସାରେ ୨୦୧୩ ନୂଆ ଆଇନ ଅନୁଯାୟୀ ବର୍ତ୍ତମାନ ବଜାର ଦରରେ ଘର , ଗଛ , କୂଅ ,ଜମି ଇତ୍ୟାଦିର ଏକକାଳୀନ କ୍ଷତିପୂରଣ ପ୍ରଦାନ କରାଯାଉ। ୧୮ ବର୍ଷରୁ ଊର୍ଦ୍ଧ ସମସ୍ତ ପୁଅ ଓ ଝିଅଙ୍କ ସର୍ଭେ କରି ଏକକାଳୀନ ଥଇଥାନ ରାଶି ପ୍ରଦାନ କରାଯାଉ। ଜମିହୀନ ବିସ୍ଥାପତି ପରିବାରଙ୍କୁ ଚିହ୍ନଟ କରି ତାଙ୍କୁ ପାତର ଅନ୍ତର ନ କରି ବିସ୍ଥାପିତଙ୍କ ସହିତ ସମାନ ହିସାବରେ ଥଇଥାନ ରାଶି ପ୍ରଦାନ କରାଯାଉ।

ଯେଉଁ ବିସ୍ଥାପିତଙ୍କୁ ସରକାରଙ୍କ ଥଇଥାନ କଲୋନୀରେ ଘରଡିହ ମିଳିନାହିଁ ଏବଂ ଯେଉଁମାନେ ଘରଡିହ ସହାୟତା ରାଶି ବଦଳରେ ଘରଡିହ ଚାହୁଁଛନ୍ତି ସେମାନଙ୍କୁ ଘରଡିହ ପ୍ରଦାନ କରାଯାଉ। ବିଭିନ୍ନ ଗ୍ରାମର ୧୮ ବର୍ଷରୁ ଉର୍ଦ୍ଧ ବିସ୍ଥାପିତଙ୍କ ତାଲିକା ମଂଜୁର ପାଇଁ ଜଳସେଚନ ବିଭାଗ ପୁର୍ନବାସ ଓ ଥଇଥାନ ନିର୍ଦ୍ଧେଶକଙ୍କ ପାଖକୁ ୨ ବର୍ଷରୁ ଉର୍ଦ୍ଧ ହେବ ଯାଇଛି । ତାହା ମଞ୍ଜୁର କରି ପ୍ରଦାନ କରାଯାଉ। ବିସ୍ଥାପିତଙ୍କ ନାରେ ରୁଜୁ ହୋଇଥିବା ବିଭିନ୍ନ ମିଥ୍ୟା ମାମଲା ପ୍ରତ୍ୟାହାର କରାଯାଉ। ଆରପିଡିଏସିରେ ନୂତନ ସଭ୍ୟଙ୍କୁ ନିଆଯାଉ ଓ ପ୍ରତି ତିନି ମାସରେ ବୈଠକ ବସୁ। ଏହି ମର୍ମରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ବୋଲି ସଭାପତି ଶ୍ରୀ ସାହୁ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମନୋଜ ରାଜପୁତ , ମଳୟ ମେହେର , ଉାମାକାନ୍ତ ଖୁଆସ, ରାଜ କୁମାର ପ୍ରଧାନ, ସୁବଳ ପଟେଲ , ଅର୍ଜୁନ ଧରୁଆ, ଧିରେନ୍ଦ୍ର ନାଗ ଓ ବିଶ୍ୱାମିତ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।