ଅଜଣା ଯୁବକ ଓ ଯୁବତୀଙ୍କ ଶବ ରେଳ ଧାରଣାରୁ ଉଦ୍ଧାର

ବଲାଙ୍ଗୀର,ଏନଏନଏସ: ବଲାଙ୍ଗୀର ସହର ମାଧିଆପାଲି ନିକଟ ରେଳ ଧାରଣାରୁ ଆଜି ସକାଳେ ଜଣେ ଅଜଣା ଯୁବକ ଓ ଜଣେ ଅଜଣା ଯୁବତୀଙ୍କ ଶବ ଉଦ୍ଧାର କରିଛି । ତେବେ ଶବ ଦ୍ୱୟର ପରିଚୟ ଏ ପର୍ଯ୍ୟନ୍ତ ମିଳି ପାରିନାହିଁ । କିନ୍ତୁ ଉଭୟେ ପ୍ରେମୀ ଯୁଗଳ ହୋଇଥାଇ ପାରନ୍ତି ବୋଲି ଆଶା କରାଯାଉଛି । ସୂଚନା ଅନୁଯାୟୀ , ଆଜି ସ୍ଥାନୀୟ ଲୋକେ ରେଳ ଧାରଣା ଉପରେ ଦୁଇଟି ଶବ ପଡିଥିବାର ଦେଖିବାକୁ ପାଇଥିଲେ ।

ଉଭୟ ଶବ ଖଣ୍ଡ ବିଖଣ୍ଡିତ ହୋଇ ଯାଇଥିବା ବେଳେ ତାହା ଚିହ୍ନିବା ମଧ୍ୟ କଷ୍ଟକର ହୋଇ ପଡୁଥିଲା । ଶବ ପଡିଥିବା ପ୍ରଚାର ହେବା ପରେ ରେଳ ଧାରଣା ଉପରେ ଲୋକଙ୍କ ଭିଡ ଲାଗିଥିଲା । ଖବର ପାଇବା ପରେ ରେଳୱେ ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଏମାନେ ପ୍ରେମୀ ଯୁଗଳ ହୋଇଥିବା ସନ୍ଦେହ କରାଯାଉଛି । ପ୍ରେମରେ ବିଫଳ ହେବା ପରେ ରେଳ ଧାରଣ ଉପରକୁ ଡେଇଁ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି । ଟ୍ରେନରେ କଟି ଘୋଷାଡି ହୋଇ ଯାଇଥିବାରୁ ଶବ ଦ୍ୱୟ ଖଣ୍ଡ ବିଖଣ୍ଡିତ ହୋଇଯାଇଛି ।