ଟିଟିଲାଗଡ଼,ଏନ୍ଏନ୍ଏସ୍: ଟିଟିଲାଗଡ଼ ସହରକୁ ବ୍ୟାପକ ଭାବେ ନକଲି ବିଦେଶୀ ମଦର ଚୋରା କାରବାର ବୃଦ୍ଧି ପାଉଛି। ବାଇକ୍ ଓ ଚାରି ଚକିଆ ଯାନବାହନ ଯୋଗେ ବିଭିନ୍ନ କମ୍ପାନୀର ବିଦେଶୀ ମଦର ସୁଅ ଛୁଟୁଛି ଟିଟିଲାଗଡ଼ ତଥା ଆଖପାଖ ଅଞ୍ଚଳକୁ। ହେଲେ ନାମକୁ ମାତ୍ର ଅବକାରୀ ବିଭାଗ କାଁ ଭାଁ ଚଢ଼ଉ କରୁଥିବା ନେଇ ଅଭିଯୋଗ ଉଠିଛି। ଚଢ଼ଉ ପରେ ଚାପରେ ବଶବର୍ତ୍ତୀ ହୋଇ ଅଭିଯୁକ୍ତଙ୍କୁ ଛାଡି ଦେବା ନେଇ ମଧ୍ୟ ଦେଖିବାକୁ ମିଳିଛି। ପ୍ରାରମ୍ଭିକ ସୂଚନାମତେ ବିଳମ୍ବିତ ରାତ୍ରିରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ଦୁଇ ନମ୍ବର ବିଦେଶୀ ମଦ ଦୋକାନରୁ କମ ଦରରେ ଚାରି କାର୍ଟୁନ କିଙ୍ଗ ଫିସର ବିୟର ଏକ ବାଇକ୍ ଯୋଗେ ଟିଟିଲାଗଡ଼ ପଟକୁ ଆସୁଥିବା ବେଳେ ବଲାଙ୍ଗିର ଅବକାରୀ ଅଧୀକ୍ଷକଙ୍କ ନେତୃତ୍ୱରେ ଟିଟିଲାଗଡ଼ ଅବକାରୀ ଅଧିକାରୀ ସତ୍ୟନାରାୟଣ ଦାଶ ସଦଳବଳେ ଚଢ଼ଉ କରି ବାଇକ୍ କ୍ରମିକ ନମ୍ୱର୍ ଓଡ଼ି-୦୮କ୍ୟୁ-୬୦୬୫ ସମେତ ୨ଟି ବସ୍ତାରେ ଭର୍ତ୍ତିଥିବା ୪ ପେଟି କିଁଙ୍ଗଫିସର ବିୟର ଓ ଜଣେ ନାବାଳକ ଓ ଗାଡି ଚାଳକ ଭୂଷଣ ବଗର୍ତିକୁ କାବୁ କରି ଅବକାରୀ କାର୍ଯ୍ୟାଳୟକୁ ଆଣି ଭୂଷଣକୁ ଲକ୍ଅପ୍ ଭିତରେ ରଖିଥିଲା।
ଏନେଇ ଏକ ମାମଲା ବି ରୁଜୁ କରିବା ସହ ଆସନ୍ତକାଲି କୋର୍ଟ ଚାଲାଣ କରାଯିବ ବୋଲି କହିଥିଲା। ତେବେ ରାତ୍ରିରେ ହିଁ ମାମଲା ରଫା ଦଫା କରିବା ପାଇଁ ଛାଡିଦେଇଥିବା ଅଭିଯୋଗ ହୋଇଛି। କୁଆଡେ ଏହି ମାମଲାକୁ ରଫା ଦଫା କରିବା ପାଇଁ ମୋଟା ଅଙ୍କର ଅର୍ଥ କାରବାର ହୋଇଥିବା ଅଭିଯୋଗ ହୋଇଛି। ରାତ୍ରି ସାରା ଏନେଇ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କ ସହ ଘନଘନ ଅବକାରୀ ଅଧିକାରୀ ସତ୍ୟନାରାୟଣ ଦାସଙ୍କ ସହ ଆଲୋଚନା ହୋଇଛି। ରାତ୍ରିରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଟିଟିଲାଗଡ଼ ଅବକାରୀ ଅଧିକାରୀ ଏହି ଧରପଗଡରେ ବଲାଙ୍ଗିର ଅବକାରୀ ଅଧିକ୍ଷକଙ୍କ ନାମ ଯୋଡିବାକୁ ଅନୁରୋଧ କରୁଥିବା ବେଳେ ପ୍ରାତଃରେ ସମସ୍ତ ଘଟଣାକ୍ରମ ବଦଳିଯାଇଥିଲା। ଏମିତି କି ରାତିରେ ଅଭିଯୁକ୍ତ ଦୟଙ୍କୁ ୪୧ ସିଆରପିସିରେ ଛାଡି ଦିଆଯାଇଛି। ଜଣେ କର୍ମଚାରୀ ନିଜ ନାମ ଗୋପନ ରଖି ଏହି ମାମଲାରେ କୁଆଡେ ୫୦ ହଜାର ଟଙ୍କାର ଡିଲ ହୋଇଥିବା କହିଛନ୍ତି।
ସମ୍ପୃକ୍ତ ମଦ ମାଫିଆଙ୍କ କହିବା କଥା ଯେ ସେ କଳାହାଣ୍ଡି ଜିଲ୍ଲା କେସିଙ୍ଗାରୁ ବିୟର କାର୍ଟୁନ ପିଛା ୧୪ ଶହ ଟଙ୍କାରେ ଆଣି ଟିଟିଲାଗଡ଼ ଅଞ୍ଚଳରେ ୧୮ଶହ ଟଙ୍କାରେ ବିକ୍ରି କରୁଛନ୍ତି। ଅନ୍ୟପଟେ ମଦର ମାନକୁ ନେଇ ମଧ୍ୟ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଅଭିଯୋଗ ହୋଇଛି ଯେ କଳାହାଣ୍ଡି ଜିଲ୍ଲାରେ ନକଲି ବିଦେଶୀ ମଦ ପ୍ରସ୍ତୁତ ହୋଇ ଅତି ସ୍ୱଳ୍ପ ମୁଲ୍ୟ ରେ ବଜାରକୁ ଛଡାଯାଉଛି। ଲୋକେ ଉକ୍ତ ନକଲି ବିଦେଶୀ ମଦକୁ ଚଢାଦରରେ କିଣି ପିଇବା ଯୋଗୁଁ ନାନାଦି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏମିତିକି ଟିଟିଲାଗଡ଼ ଅଞ୍ଚଳରେ ସରକାରଙ୍କ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ରହିଥିବା ବେଳେ ଏଠାରେ ମଧ୍ୟ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ମୂଲ୍ୟରେ ମଦ ବିକ୍ରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ଉଠୁଛି।
ତେବେ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଟିଟିଲାଗଡ଼ ଅଞ୍ଚଳରେ ଛତୁ ଫୁଟିଲା ପରି ଦୃତଗତିରେ ବେଆଇନ ମଦ ଦୋକାନ, କୁଚିଆ ମଦ ବ୍ୟବସାୟ ଉପରେ ଅଙ୍କୁଶ ଲଗାଇବାକୁ ମଧ୍ୟ ଦାବି ଉଠିଛି l ଏହି ଚଢ଼ଉ ସମୟରେ ଟିଟିଲାଗଡ଼ ଅବକାରୀ ଅଧିକାରୀ ସମେତ ଏ ଏସଆଇ ବଳରାମ ପ୍ରଧାନ, ସିପାହୀ ମୋତିଲାଲ ସାଗର, ସୁରେଶ ଚନ୍ଦ୍ର ଭୋଇ, ମହିଳା ସିପାହୀ କୁମୁଦିନୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।