ଆତଙ୍କବାଦୀଙ୍କ ଲାଗି ଟ୍ୟୁବରେ ଅସ୍ତ୍ରଶସ୍ତ୍ର ବାନ୍ଧି ନଦୀ ବାଟରେ ପଠାଉଛି ପାକିସ୍ଥାନ

କାଶ୍ମୀର,ଏଜେନ୍ସି: ଅନ୍ତର୍ଜାତୀୟ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ପାକିସ୍ତାନ ବିରୋଧରେ ଗ୍ଲୋବାଲ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହା ସତ୍ତେ୍ୱ ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ କରିବାକୁ ଚେଷ୍ଟା କରୁଛି। ପ୍ରଥମେ ଡ଼୍ରୋନ ଯୋଗେ ଅସ୍ତ୍ରଶସ୍ତ୍ର ପଠାଇବା ଉଦ୍ୟମ କରି ବିଫଳ ହେବା ପରେ ପାକ୍ ସେନା ଆତଙ୍କବାଦୀଙ୍କ ପାଇଁ ନଦୀ ବାଟରେ ଅସ୍ତ୍ରଶସ୍ତ୍ର ପଠାଇବାକୁ ଯୋଜନା କରୁଛନ୍ତି। ପାକିସ୍ତାନର ଏପରି ଏକ ଯୋଜନାକୁ ଗତକାଲି ରାତିରେ ଭାରତୀୟ ସେନା ବିଫଳ କରିଛି ଓ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି।

ଗତକାଲି ରାତି ପ୍ରାୟ ୮ଟା ୩୦ରେ କିଶାନ ଗଙ୍ଗାନଦୀ (କେଜିଆର) ଅପର ପାଖରେ କିଛି ଗତିବିଧି ସାଟେଲାଇଟରେ ରେକର୍ଡ଼ ହୋଇଥିଲା। ସେନା ଓ ଜାମ୍ମୁ-କାଶ୍ମୀର ପୁଲିସ ପକ୍ଷରୁ ତୁରନ୍ତ ଏ ସମ୍ପର୍କରେ ଅପରେସନ ଆରମ୍ଭ ହୋଇଥିଲା।

ରାତି ୧୦ଟା ବେଳକୁ ଦଉଡ଼ି ବନ୍ଧା ହୋଇଥିବା ଟ୍ୟୁବରେ ଭାସି ଆସିଥିବା କିଛି ସାମଗ୍ରୀକୁ ୨/୩ ଜଣ ଆତଙ୍କବାଦୀ ନେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। ସେନାବାହିନୀ ପକ୍ଷରୁ ତୁରନ୍ତ ଚଢ଼ଉ କରି ୨ ଜଣଙ୍କୁ ଗିରଫ କରିବା ସହ ସାମଗ୍ରୀକୁ ଜବତ କରିଥିଲେ। ଜବତ ସାମଗ୍ରୀ ମଧ୍ୟରେ ୪ଟି ଏକେ-୭୪ ରାଇଫଲ, ୮ ମ୍ୟାଗାଜିନ, ୨୪୦ ଏକେ ରାଇଫଲ ରହିଛି।