୭ ଜଣିଆ ଡକାୟତ ଦଳ ଗିରଫ; ବହୁ ଚୋରି ସାମଗ୍ରୀ ଜବତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଆଦର୍ଶ ଥାନା ପୁଲିସ ମଙ୍ଗଳବାର ରାତ୍ରିରେ ୭ ଜଣିଆ ଡକାୟତ ଦଳକୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୨ ଜଣ ନାବାଳକ ଥିବା ଜଣାପଡ଼ିଛି। ରାତ୍ରିରେ ଭୈରବ ମନ୍ଦିର ନିକଟରେ ଏହି ୭ ଜଣ ଏକତ୍ରିତ ହୋଇ ଭୂଜାଲି, ରଡ ଓ କିଛି ଅସ୍ତ୍ର ଧରି ଡକାୟତି କରୁଥିବା ଯୋଜନା କରୁଥିବା ଖବର ପାଇ ମାଲକାନଗିରି ଆଦର୍ଶ ଥାନା ପୁଲିସ ଚଢ଼ଉ କରି ଗିରଫ କରିଛି।

ସେମାନଙ୍କୁ ପଚରାଉଚରା ବେଳେ ମାଲକାନଗିରି ଥାନା ଅଧୀନରେ ୧୩ ଟି ଓ କାଲିମେଳା ଥାନାରେ ଗୋଟିଏ ଓ ବାଲିମେଳା ଥାନାରେ ଗୋଟିଏ ମାମଲା ସମେତ ୧୫ଟି ମାମଲାରେ ସଂପୃକ୍ତ ଥିବା ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ରିଷିକଶେ ଡି.ଖିଲାରୀ ବୁଧବାର ସ୍ଥାନୀୟ ଜିଲ୍ଲା ପୁଲିସ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଗିରଫମାନେ ହେଲେ ମାଲକାନଗିରି ରିକ୍ଲାମେସନ କଲୋନୀର ଜଗନ୍ନାଥ ଦେବନାଥ(୧୯), ପୁରୁଣା ମେଡିକାଲ କଲୋନୀର ରାଗା ଗାଇନ(୨୨), ଏଜୁକେସନ କଲୋନୀର ସୌମ୍ୟ ରଞ୍ଜନ ପରିଡା(୧୮), ଏମ.ଭି-୪୫ ଗ୍ରାମର ରାହୁଲ ମୈତ୍ର(୧୯), ଝଂଟୁଲାଲ ମଣ୍ଡଳ(୨୦) ଓ ୨ ଜଣ ନାବାଳକ।

ଏମାନଙ୍କ ନିକଟରୁ ୨ ଟି ସୁନା ଚେନ, ଗୋଟିଏ ସୁନା ଲକେଟ, ଗୋଟିଏ ଲ୍ୟାପଟପ, ଗୋଟିଏ ପ୍ରୋଜେକ୍ଟର, ଗୋଟିଏ ପ୍ରିଂଟର, ଗୋଟିଏ ଏମ୍ପିଲିଫାୟାର, ୨ ଟି କି ବୋର୍ଡ, ଗୋଟିଏ ସାଉଣ୍ଡ ବକ୍ସ, ୩ ଟି ଏଲ.ଇ.ଡି ଟିଭି, ୫ ଟି ମୋବାଇଲ ଫୋନ, ୪ ଟି ମୋଟର ସାଇକେଲ, ୨ ଟି ଖେଳନା ପିସ୍ତଲ, ୩ ଟି ରଡ, ୨ ଟି ଭୂଜାଲି, କିଛି ପୋଷାକ, ନଗଦ ୧୦ ହଜାର ୫ ଶହ ଟଙ୍କା ସମେତ ମୋଟ ୨୫ ଟି ସାମଗ୍ରୀ ଜବତ କରାଯାଇଥିବା ଆରକ୍ଷୀ ଅଧିକ୍ଷକ ଶ୍ରୀ ଖିଲାରୀ ପ୍ରକାଶ କରିଛନ୍ତି।

ଗିରଫମାନେ ମୋଟ ୧୫ ଟି ମାମଲାରେ ସଂପୃକ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ୨ ଜଣ ନାବାଳକଙ୍କୁ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ଖିଲାରୀ ପ୍ରକାଶ କରିଛନ୍ତି।