ଖଇରା,ଏନ୍ଏନ୍ଏସ୍: ଟାଙ୍ଗିଆ ଓ ଭୁଜାଲିରେ ଆକ୍ରମଣ କରି ବ୍ୟବସାୟୀଙ୍କ ନିକଟରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ କରିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ଖଇରା ବ୍ଲକ୍ ପାଇକାଳପୁର ଗ୍ରାମର ସୁଦାମ ଚରଣ ସାହୁଙ୍କର ଦୀର୍ଘଦିନ ଧରି ସାରଡ଼ାଙ୍ଗ ବଜାରରେ ଶମ୍ଭୁନାଥ ନାମକ ଏକ ଜୁଏଲାରୀ ଦୋକାନ ରହିଛି।
ଗତକାଲି ବିଳମ୍ବିତ ରାତିରେ ସୁଦାମ ଦୋକାନ ବନ୍ଦ କରି ବାଇକ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଅଲ୍ଲିପୁର-ପାଇକାଳପୁର ରାସ୍ତାରେ ୩ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କୁ ଅଟକାଇ ଥିଲେ। ତାଙ୍କୁ ଟାଙ୍ଗିଆ ଓ ଭୁଜାଲିରେ ଆକ୍ରମଣ କରିଥିଲେ। ପରେ ଦୁର୍ବୃତ୍ତମାନେ ବାଇକର ଡିକି ଭାଙ୍ଗି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଲୁଟି ଫେରାର ହୋଇଯାଇଥିଲେ।
ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁଦାମ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସିମୁଳିଆ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।