ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ସହରର ବ୍ୟବସାୟୀ ଅଙ୍କିତ ରେଖାନୀଙ୍କ ଘରେ ହୋଇଥିବା ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ପୁଲିସ ଏହି ମାମଲାରେ ବରଗଡ଼ ସହରାପଡାର ବିଟୁ ଓରଫ୍ ବିକାଶ ମଟାରୀ, ବେହେରାଟିକ୍ରା ୨ ନଂ ୱାର୍ଡର ଅଶୋକ ରଣା ଓ ଗିଦଲି ଛୁଆ ଓରଫ୍ ସୁଶାନ୍ତ ଭୁଏକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏହାସହ ଲୁଟେରାମାନଙ୍କଠାରୁ ଲୁଟ୍ ହୋଇଥିବା ଟଙ୍କା , ସୁନା ଏବଂ ହୀରା ଗହଣା ଜବତ କରିଛି ।
ସୂଚନା ଅନୁସାରେ ଗତ ୧୨ ତାରିଖ ଦିନ ପ୍ରାୟ ୧୦ ଟା ୪୦ ମିନିଟ୍ ସମୟରେ ସହରାପଡା ନିବାସୀ ବ୍ୟବସାୟୀ ଅଙ୍କିତ ରେଖାନୀଙ୍କ ଘରୁ ୩ ଜଣ ଲୁଟେରା ପ୍ରାୟ ୧୯ ଲକ୍ଷ ୭୦ ହଜାର ଟଙ୍କା ଏବଂ ସୁନା, ହୀରା ଅଳଙ୍କାର ଲୁଟି ନେଇଥିଲେ । ଦିନ ଦ୍ୱିପହରରେ ଖୁଲମଖୁଲା ହୋଇଥିବା ଏହି ଲୁଟକୁ ନେଇ ସମଗ୍ର ସହରରେ ଚାଞ୍ଚଲ୍ୟ ଖେଳି ଯାଇଥିବାବେଳେ ଲୁଟର ପର୍ଦ୍ଦାଫାସ କରିବା ସହ ଲୁଟେରାମାନଙ୍କୁ ଧରିବା ପୁଲିସ ପାଇଁ ଏକ ଚାଲେଞ୍ଜ ପାଲଟିଥିଲା। ଏନେଇ ବରଗଡ଼ ଏସପି ପଦ୍ମିନୀ ସାହୁଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗଠନ ସହ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୩ ଲୁଟେରାମାନଙ୍କୁ କାବୁ କରାଯାଇଥିଲା। ଗିରଫ ଲୁଟେରାମାନଙ୍କ ଠାରୁ ନଗଦ ୧୮ ଲକ୍ଷ ୨୪ ହଜାର ଟଙ୍କା ସହ ୮ ଟି ଡାଇମଣ୍ଡ ଚୁଡ଼ି, ୪ ଟି ସୁନା ଚୁଡ଼ି, ୩ ଟି ସୁନା ଚେନ, ଗୋଟିଏ ଡାଇମଣ୍ଡ ଚେନ, ୪ ଟି ସୁନା ଲକେଟ, ଗୋଟିଏ ସୁନା ମଙ୍ଗଳସୂତ୍ର, ୪ ଟି ସୁନା ମୁଦି, ୪ ଟି ସୁନା ଇୟରିଙ୍ଗ, ୨ ଟି ରୂପା ଚୁଡି, ୪ ଟି ଦାମିକା ଘଡି, ୨ ଟି ରୂପା ଗ୍ଳାସ, ୨ ଟି ରୂପା କଳସ ଉଦ୍ଧାର କରିଥିଲା ।
ଏହାସହ ଲୁଟେରାମାନେ ବ୍ୟବହାର କରିଥିବା ବାଇକ୍, ଦୁଇଟି ଛୁରୀ, ୨ ଟି ମୋବାଇଲ ଫୋନ ଏବଂ ଦୁଇଟି ମାସ୍କ ପୁଲିସ ଜବତ କରିଛି। ଏନେଇ ବରଗଡ଼ ଟାଉନ ଥାନାରେ ମାମଲା ରୁଜୁ ହେବା ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ୩ ଲୁଟେରାଙ୍କ ନାମରେ ପୂର୍ବରୁ କୌଣସି ଅପରାଧିକ ମାମଲା ନ ଥିବା ସହ ଘଟଣାର ୪୮ ଘଣ୍ଟା ମଧ୍ୟରେ ପୁଲିସକୁ ସଫଳତା ମିଳିଥିବା ନେଇ ବରଗଡ଼ ଏସପି ପଦ୍ମିନୀ ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଥିରେ ଏଏସପି ପ୍ରଦ୍ୟୁମ୍ନ କୁମାର ମିଶ୍ର, ଏସଡିପିଓ ଦିପକ କୁମାର ଗୋଚ୍ଛାୟତ, ଟାଉନ ଥାନା ଅଧିକାରୀ ସଦାନନ୍ଦ ପୂଜାରୀ, ଏସଆଇ ସଞ୍ଜୟ ନାୟକ, ସୌମ୍ୟକାନ୍ତ ବଲିୟାର ସିଂ, ମଙ୍ଗଳ କିସକୋ, ଛାୟାକାନ୍ତ ସରାଫ ପ୍ରମୁଖ ଉପସ୍ଥିତ ଥିଲେ।