ଧରାପଡିଲା ବ୍ୟବସାୟୀଙ୍କ ଲକ୍ଷାଧିକ ଟଙ୍କା ଲୁଟ୍ ଡ୍ରାମା

ଝାରସୁଗୁଡା,ଏନ୍ଏନ୍ଏସ୍: ବନ୍ଧୁକ ମୁନରେ ଟଙ୍କା ଲୁଟ୍ ଘରଣାର ପୋଲିସ ରହସ୍ୟ ଉନ୍ମୋଚିତ କରିଛି। ଆଜି ଝାରସୁଗୁଡ଼ା ଏସପି ଅଶ୍ବିନୀ ମହାନ୍ତି ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ ବ୍ୟବସାୟୀ ଶଙ୍କର କେଡ଼ିଆ ଆୟକର ଟିକସ ଫାଙ୍କିବାକୁ ଏଭଳି ମିଥ୍ୟା କାହାଣୀ ରଚିଥିଲେ। ଶ୍ରୀ ମହାନ୍ତିଙ୍କ କହିବା ଅନୁଯାୟୀ, ଅଭିଯୋଗକାରୀ ଶ୍ରେୟା ଟ୍ରେଡ଼ର୍ସ ର ମାଲିକ ଶଙ୍କର କେଡ଼ିଆ ଅଭିଯୋଗ କରିଥିଲେ ଯେ ଗତ ଗୁରୁବାର ଅପରାହ୍ନ ସାଢ଼େ ଗୋଟିଏ ବେଳେ ୩ ଜଣ ଯୁବକ ଏକ କଳା ରଙ୍ଗର ପଲସର ଯୋଗେ ଆସି ଗାଡିକୁ ବାହାରେ ଛିଡା କରିଥିଲେ।

ସେମାନଙ୍କ ମଧ୍ୟରୁ ୨ ଜଣ ହେଲେମେଟ ପିନ୍ଧା ଯୁବକ ଦୋକାନ ଭିତରକୁ ପଶି ବନ୍ଧୁକ ମୁନରେ ୧୦ ଲକ୍ଷ ୪୫ ହଜାର ଲୁଟ୍ କରିଥିବାବେଳେ ଅନ୍ୟଜଣେ ଯୁବକ ବାଇକ୍ ରେ ବାହାରେ ଠିଆ ହୋଇଥିଲେ। ଲୁଟ୍ ପରେ ସେମାନେ ଦୃତ ଗତିରେ ବାଇକ୍ ନେଇ ସେଠାରୁ ଫେରାର୍ ହୋଇଯାଇଥିଲେ। ଏହି ସମୟରେ କର୍ମଚାରୀମାନେ ଖାଇବାକୁ ଯାଇଥିବା ସେ ପୋଲିସ ନିକଟରେ କହିଥିଲେ। ପୋଲିସ ଶ୍ରୀ କେଡ଼ିଆଙ୍କ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଥିଲା।ପୋଲିସ ପ୍ରଥମେ ବିଭିନ୍ନ ସ୍ଥାନରେ ଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରିଥିଲା। ସେହି ସମୟରେ କେହି ହେଲମେଟ୍ ପିନ୍ଧା ଯୁବକ ଆସିନଥିବା ଜାଣିବା ପରେ ପୋଲିସର ସନ୍ଦେହ ଶ୍ରୀ କେଡ଼ିଆଙ୍କ ଉପରେ ବଢିଥିଲା।

ଶ୍ରୀ କେଡ଼ିଆଙ୍କ ଏହି ୧୦ ଲକ୍ଷ ୪୫ ହଜାର ଟଙ୍କା ବାବଦରେ ୭ ଜଣ ଗ୍ରାହକଙ୍କ ମଧ୍ୟରୁ ତାଳପଟିଆର ମୋହନ ସାହୁଙ୍କୁ ପଚାରିବାରୁ ସେ ଗତ ୧୧ ତାରିଖଠାରୁ ଗଙ୍ଗା ଯାଇଥିବାବେଳେ ସେ କୌଣସି ଟଙ୍କା ପ୍ରଦାନ କରିନାହାନ୍ତି ବୋଲି କହିଥିଲେ। ଦୋକାନର ମୁନସୀ ମଧ୍ୟ ପୋଲିସ ଆଗରେ ସ୍ୱୀକାର କରିଛନ୍ତି ଯେ ଏତେ ଟଙ୍କା ଦୋକାନରେ ନଥିଲା। ଶଙ୍କର ସେ ଦିନ ଖାଇବାକୁ ଯିବା ପାଇଁ କହି ଦୋକାନରୁ ସମସ୍ତଙ୍କୁ ବାହାର କରିଦେଇଥିଲେ।

ଏହି ଘଟଣାରେ ୯୦ ପ୍ରତିଶତ ମିଥ୍ୟା ଜଣାପଡିବା ପରେ ଆୟକର ଫାଙ୍କିବାକୁ ଏପରି କରିଥିବା ଏସପିଙ୍କ ନିକଟରେ ଶଙ୍କର ସ୍ବୀକାର କରିଛନ୍ତି। ଏହି ମାମଲାର ତଦନ୍ତ ରିପୋର୍ଟ ମିଳିବା ପରେ ଅଭିଯୋଗକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି।