ଲଙ୍କା ଗୁଣ୍ଡ ମାରି ଲୁଟିନେଲେ ୬ ଲକ୍ଷ

ବଲାଙ୍ଗୀର,ଏନ୍ଏନ୍ଏସ୍: ବଲାଂଗୀର ସହର ରାଧାରାଣୀ ପଡା ଠାରେ ରବିବାର ସଂଧ୍ୟାରେ ଏକ ବଡ ଧରଣର ଲୁଟ ହେଇଛି । ଜଣେ ଯୁବକଙ୍କ ମୁହଁରେ ଲଙ୍କା ଗୁଣ୍ଡ ଝିଣ୍ଟି ୩ ଜଣ ଦୁର୍ବୁତ୍ତ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ତାହା ପୁଣି ସହର ରେ ଥିବା ସିଟି ପୁଲିସ ଛକ ନିକଟରୁ ତଥା ଏକ ଜନଗହଲଳି ପୂର୍ଣ୍ଣ ସ୍ଥାନରୁ । ଘଟଣା ପରେ ପୁଲିସ ସେହି ଆଖପାଖରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।

ସୂଚନା ଅନୁଯାୟୀ ରାଧାରାଣୀପଡା ଜୟ ଭାରତ ଛକରେ ଆନନ୍ଦ ଅଗ୍ରଓ୍ବାଲ ଏକ ଗ୍ରସରୀ ଓ ଡେଲି ନିଡ୍ସ ହୋଲସେଲ ଦୋକାନ କରିଛନ୍ତି । ପ୍ରତିଦିନ ସେ ରାତି ୯ ଟାରେ ଦୋକାନ ବନ୍ଦ କରି ନିକଟରେ ସାଇ ମନ୍ଦିର ଛକ ଠାରେ ଥିବା ଘରକୁ ଯାଇଥାନ୍ତି । ରବିବାର ମଧ୍ୟ ଦୋକାନ ବନ୍ଦ କରି ସେ ତାଙ୍କ ଘରକୁ ଯାଉଥିଲେ । ତେବେ ଆଗରେ ତାଙ୍କ ଦୋକାନରେ କାମ କରୁଥିବା ଚକ୍ରପାଣି ଥନାପତି ନାମକ ଯୁବକ ମଧ୍ୟ ସାଇକଲରେ ଆନନ୍ଦଙ୍କ ଘରକୁ ଯାଉଥିଲେ ।

ସାଇକଲ ହ୍ୟାଣ୍ଡେଲରେ ସେ ଟଙ୍କା ବ୍ୟାଗ ଝୁଲାଇଥିଲେ । ସମୟ ପ୍ରାୟ ୯ ଟା ରୁ ୯.୧୫ ମଧ୍ୟରେ ୩ ଜଣ ଯୁବକ ଏକ ପଲସର ବାଇକରେ ଆସି ଟ୍ରାନ୍ସଫର୍ମର ଥିବା ଛକରେ ଚକ୍ରପାଣିଙ୍କ ମୁହଁରେ ଲଙ୍କା ଗୁଣ୍ଡ ମାରି ଟଙ୍କା ବ୍ୟାଗ ଲୁଟି ନେଇଥିଲେ । ବ୍ୟାଗ ଲୁଟି ନେଇ ସେମାନେ ଦ୍ରୁତ ଗତିରେ ଫେରାର ମାରିଥିଲେ । ବ୍ୟାଗରେ ପ୍ରାୟ ୬ ଲକ୍ଷ ଟଙ୍କା ଥିଲା ବୋଲି ଆନନ୍ଦ କହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।