ନିର୍ମାଣ ହେବ ବିଶ୍ୱର ଦୀର୍ଘତମ ଏକ୍ସପ୍ରେସ-ୱେ: ପରିବହନ ମନ୍ତ୍ରୀ

ଗାନ୍ଧୀନଗର,ଏଜେନ୍ସି: ଦେଶରେ ନିର୍ମାଣ ହେବ ବିଶ୍ୱର ଦୀର୍ଘତମ ଏକ୍ସପ୍ରେସ-ୱେ। ଯାହାର ନାମ ରହିବ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ହାଇୱେ। ଏନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାର ବିଶ୍ୱର ସର୍ବବୃହତ ଏକ୍ସପ୍ରେସ-ୱେ ନିର୍ମାଣ ପାଇଁ ଯୋଜନା କରୁଛନ୍ତି ବୋଲି ଗୁଜୁରାଟର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଗଡକରୀ କହିଛନ୍ତି।

ସେ କହିଛନ୍ତି ଯେ, ‘ଏହି ଏକ୍ସପ୍ରେସ-ୱେର ଲମ୍ବ ୧,୩୮୦ କିଲୋମିଟର ରହିବ ଯାହାକି ଜବହାରଲାଲ ନେହେରୁ ପୋର୍ଟ ଟ୍ରଷ୍ଟରୁ ବାହାରିବ। ବର୍ତ୍ତମାନ ଆମେ ଏହାକୁ ନରିମାନ୍ ପଏଣ୍ଟରୁ ଆରମ୍ଭ କରିବାକୁ ଯୋଜନା କରୁଛୁ।’ ଏହି ପ୍ରକଳ୍ପ କାର୍ଯ୍ୟ ୨୦୨୨ ସୁଦ୍ଧା ଶେଷ ହେବ। ଏଥିସହ ଏହା ବିଶ୍ୱର ପ୍ରଥମ ସର୍ବବୃହତ ଏକ୍ସପ୍ରେସ-ୱେରେ ହେବ ବୋଲି ସେ କହିଛନ୍ତି। ଏହି ଏକ୍ସପ୍ରେସ-ୱେ ନିର୍ମାଣ ହେବା ପରେ ଦିଲ୍ଲୀରୁ ମୁମ୍ବାଇ ପାଇଁ ୧୨ରୁ ୧୩ ଘଣ୍ଟା ସମୟ ହ୍ରାସ ପାଇବ।

ପୂର୍ବରୁ ଦିଲ୍ଲୀରୁ ମୁମ୍ବାଇ ଯିବା ପାଇଁ ୨୪-୨୬ ଘଣ୍ଟା ଲାଗୁଥିଲା। ଏହି ଏକ୍ସପ୍ରେସ-ୱେ ନିର୍ମାଣ ହେଲେ ଟ୍ରକରେ ୧୮-୨୦ ଏବଂ କାରରେ ୧୨-୧୩ ଘଣ୍ଟା ସମୟ ଲାଗିବ ବୋଲି ଗଡକରୀ କହିଛନ୍ତି। ଏଥିସହ ଗଡକରୀ କହିଛନ୍ତି ଯେ, ଏହି ହାଇୱେ ରାଜସ୍ଥାନ, ଗୁଜୁରାଟ ଏବଂ ମଧ୍ୟପ୍ରଦେଶର ଆଦିବାସୀ ଅଞ୍ଚଳ ପର୍ଯ୍ୟନ୍ତ ସଂଯୋଗ କରିବ। ଯାହା ଫଳରେ ନିଯୁକ୍ତିର ସୁଯୋଗ ମିଳିବା ସହ ଅଞ୍ଚଳବାସୀଙ୍କ ଉନ୍ନତି ହୋଇପାରିବ। ଏଥିସହ ଦିଲ୍ଲୀ-ଫରିଦାବାଦ-ସୋହନା ସେକ୍ସନ ଦେଇ ଜେୱାର ବିମାନବନ୍ଦର ଏବଂ ଜବାହାରଲାଲ ନେହେରୁ ପୋର୍ଟ ପର୍ଯ୍ୟନ୍ତ ମଧ୍ୟ ସଂଯୋଗ ରହିବ।